ସିଡ୍ନୀ,୩୦।୧୧(ପି.ଟି.): ଅଷ୍ଟ୍ରେଲିଆ ବିସ୍ଫୋରକ ଓପନର ଡେଭିଡ୍ ଓ୍ବାର୍ନର ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ଖେଳିବା ଅବସରରେ ଆହତ ହୋଇଛନ୍ତି। ରବିବାର ସେ ଗ୍ରୋନ୍ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ସେ ସୀମିତ ଓଭର ସିରିଜର ବାକି ମ୍ୟାଚ୍ଗୁଡିକରୁ ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ଇନିଂସର ଚତୁର୍ଥ ଓଭରରେ ଫିଲ୍ଡିଂ କରିବା ଅବସରରେ ବଲ୍କୁ ଅଟକାଇବାକୁ ଯାଇ ସେ ଡାଇଭ୍ ମାରିଥିଲେ। ତେବେ ଉଠିବା ପାଇଁ ସଂଘର୍ଷ କରିଥିଲେ। ଏହାପରେ ତାଙ୍କୁ ସ୍କାନ ପାଇଁ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜ) ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଛି। ଓର୍ବାନରଙ୍କ ଇଞ୍ଜୁରି ସଂକ୍ରାନ୍ତରେ ଅଧିକ କିଛି ଜାଣିନାହିଁ। କିନ୍ତୁ ସେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଉପଲବ୍ଧ ହେବେ ବୋଲି ଆଶା କରୁ ନ ଥିବା କଥା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ମ୍ୟାଚ୍ ପରେ କହିଛନ୍ତି। ଡିସେମ୍ବର ୪ରୁ ଟି୨୦ ସିରିଜ କାନବେରାରେ ଆରମ୍ଭ ହେବ।
ସାଥି ଖେଳାଳି ପ୍ୟାଟ୍ କୁମିନ୍ସ, ଗ୍ଲେନ୍ ମ୍ୟାକ୍ସଓ୍ବେଲ ଓ ଫିଜିଓ ଡେଭିଡ୍ ବିକ୍ଲି ଓ୍ବାର୍ନରଙ୍କୁ ଧରି ଡ୍ରେସିଂ ରୁମ୍କୁ ନେଇଥିଲେ। ସେଠାରୁ ସେ ସିଧା ହସ୍ପିଟାଲକୁ ଯାଇଥିଲେ। ବୁଧବାର କାନବେରାରେ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଆଡିଲେଡ୍ରେ ଟେଷ୍ଟ ସିରିଜ ଡିସେମ୍ବର ୧୭ରୁ ଆରମ୍ଭ ହେବ। ଓ୍ବର୍ନରଙ୍କ ପୂର୍ବରୁ ମାର୍କୁସ ଷ୍ଟୋଇନିସ୍ ପ୍ରଥମ ଦିନିକିଆରେ ସାଇଡ୍ ଷ୍ଟ୍ରେନ୍ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ।