ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ସମାନତା ଏବଂ ନିରପେକ୍ଷତାର ଆଧାରରେ କରାଯିବା ଆବଶ୍ୟକ।

ସେ ଚେତାବନୀ ଦେଇଛନ୍ତି ଯେପର୍ଯ୍ୟନ୍ତ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କ ଟିକାକରଣ ନ କରାଯାଇଛି ସେ ପର୍ଯ୍ୟନ୍ତ କରୋନାର ନୂଆ ନୂଆ ଭାରିଆଣ୍ଟ ଆସଥିବ। ଏହାଦ୍ୱାରା ଲୋକଙ୍କ ଜୀବନ ଏବଂ ଅର୍ଥନୀତି ଅଟକି ଯିବାର ଯଥେଷ୍ଟ ଆଶଙ୍କା ରହିଛି।

୨୦୨୨ ବିଶ୍ୱ ଅର୍ଥନୈତିକ ଫୋରମ ବୈଠକର ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗ୍ୟୁଟେରସ ଏହା କହିଛନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ସେ ଏକ ସରଳ କିନ୍ତୁ କଠୋର ସତ୍ୟ ପ୍ରମାଣି ହୋଇଛି ଯେ ଯଦି ଆମେ କାହାକୁ ଛାଡିଦେଉ, ତେବେ ଆମେ ସମସ୍ତଙ୍କୁ ଛାଡିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ସେ କହିଛନ୍ତି ଯେ ୨୦୨୨ କୁ ସଂସ୍କାରର ପ୍ରକୃତ ବର୍ଷ ଭାବେ ମହାମାରୀର ମୁକାବିଲା ପାଇଁ ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି।

କରୋନା ମହାମାରୀର ନୂତନ ଓମିକ୍ରନ ଭାରିଆଣ୍ଟ ଯୋଗୁ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଏହି କାରଣରୁ, ଲୋକମାନେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ପୁନରୁଦ୍ଧାର ଏବଂ ଅର୍ଥନୈତିକ ସଂସ୍କାର ପାଇଁ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ।

ଜାତିସଂଘର ମହାସଚିବ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଆଫ୍ରିକୀୟ ଦେଶ ତୁଳନାରେ ଉଚ୍ଚ ଆୟକାରୀ ଦେଶରେ ଟିକାକରଣ ହାର ସାତଗୁଣ ଅଧିକ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକାକରଣ କରିବାରେ ବିଫଳ ହୁଏ, ତେବେ ନୂତନ ଭାରିଆଣ୍ଟଗୁଡିକ ଆସିବା ଧାରା ଜାରି ରହିବ ଏବଂ ଲୋକଙ୍କ ଦୈନନ୍ଦିନ ଜୀବନ ଏବଂ ଅର୍ଥନୀତିକୁ ପ୍ରଭାବିତ କରିବ।

ଗତ ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶର ୪୦ ପ୍ରତିଶତ ଏବଂ ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟରେ ଆମେ ପହଞ୍ଚି ପାରି ନାହୁଁ ବୋଲି ସେ କହିଛନ୍ତି।

Share