ଚେତାବନୀ: ତାତିରେ ପ୍ରତିବର୍ଷ ମରିବେ ୯୦ ହଜାରରୁ ଅଧିକ ୟୁରୋପୀୟ, ପଦକ୍ଷେପ ଗ୍ରହଣକୁ ଗୁରୁତ୍ୱ…

କୋପେନହେଗେନ,୯।୧୧ : ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ବହୁ ଦେଶର କ୍ଷତି ଘଟିଛି। ୟୁରୋପ ମଧ୍ୟ ଅନେକ କ୍ଷତି ସହିଛି। ବର୍ତ୍ତମାନ ୟୁରୋପୀୟ ପରିବେଶ ଏଜେନ୍ସି (ଇଇଏ) ଉତ୍ତାପ ତରଙ୍ଗ ବିଷୟରେ ଚେତାବନୀ ଦେଇଛି। ଏଜେନ୍ସି କହିଛି ଯେ ଯଦି କିଛି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଶତାବ୍ଦୀ ଶେଷ ସୁଦ୍ଧା ପ୍ରତିବର୍ଷ ୯୦ ହଜାର ୟୁରୋପୀୟଙ୍କ ମୃତ୍ୟୁ ଅତ୍ୟଧିକ ତାତି ଲହରରେ ଘଟିବାର ଆଶଙ୍କା ରହିଛି। ପରିବେଶ ଏଜେନ୍ସି କହିଛି ଯେ ଯଦି ଏହାକୁ ଅବହେଳା କରାଯାଏ ତେବେ ୨୧୦୦୦ ସୁଦ୍ଧା ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରାଯାଇଛି। ଗ୍ଲୋବାଲ ୱାର୍ମିଂକୁ ଦୃଷ୍ଟିରେ ରଖି ଅତ୍ୟଧିକ ଉତ୍ତାପରୁ ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ ବିଭିନ୍ନ ଦେଶ ବିଶ୍ୱ ତାପମାତ୍ରାକୁ ହ୍ରାସ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କଲେ ବାର୍ଷିକ ୩୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଅତ୍ୟଧିକ ଉତ୍ତାପ ଯୋଗୁ ବଞ୍ଚିବାର ଆଶା ରହିଛି।

ବୀମା ତଥ୍ୟକୁ ଦର୍ଶାଇ ପରିବେଶ ଏଜେନ୍ସି କହିଛି ଯେ ୧୯୮୦ ରୁ ୨୦୨୦ ମଧ୍ୟରେ ଅତ୍ୟଧିକ ଉତ୍ତାପରେ ୧,୨୯,୦୦୦ ୟୁରୋପୀୟଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଉତ୍ତାପ ଓ ଜନସଂଖ୍ୟା ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ସହରୀକରଣ ବଢ଼ିବା ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଗରମ ପାଗ ଯୋଗୁଁ ଚଳିତ ବର୍ଷ ୟୁରୋପରେ ଅତି କମରେ ୧୫ ହଜାର ଲୋକଙ୍କର ମୃତ୍ୟୁ ଘଟିଛି।

ଏଜେନ୍ସି ଅନୁଯାୟୀ, ରେକର୍ଡ ଆରମ୍ଭ ହେବା ପରଠାରୁ ଜୁନ ରୁ ଅଗଷ୍ଟ ତିନି ମାସ ୟୁରୋପରେ ସବୁଠାରୁ ଗରମ ଥିଲା। ଏଥିସହ ଅସାଧାରଣ ଉଚ୍ଚ ତାପମାତ୍ରା ମଧ୍ୟଯୁଗ ପରଠାରୁ ମହାଦ୍ୱୀପର ସବୁଠାରୁ ଖରାପ ମରୁଡ଼ି ସୃଷ୍ଟି କରିଛି। ଉତ୍ତାପର ବିପଦକୁ ଛାଡି ପରିବେଶ ଏଜେନ୍ସି କହିଛି ଯେ ଜଳବାୟୁ ପରିବର୍ତ୍ତନ ୟୁରୋପରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ସଂକ୍ରାମକ ରୋଗର ଆଶଙ୍କା ବଢ଼ାଇପାରେ।

Share