ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ ଚେତାବନୀ

ନବରଙ୍ଗପୁର, ୩୦ା୧ (ବି.ପ୍ର.)-ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ଭିତରେ ପ୍ରବେଶ କଲେ କାଦୁଅ ପଚପଚ ରାସ୍ତା ଯୋଗୁ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ସ୍କୁଲ, ଚର୍ଚ୍ଚ, ଅଙ୍ଗନଓ୍ବାଡ଼ିକେନ୍ଦ୍ର, ବଜାରକୁ ଯାତାୟାତ ସମୟରେ ହଇରାଣ ହେଉଛନ୍ତି ସାହି ବାସିନ୍ଦା। ଏହି ରାସ୍ତା ସମ୍ପର୍କରେ ଅନେକ ଥର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ କିମ୍ବା ପଞ୍ଚାୟତ ଅଧିକାରୀ ଦୃଷ୍ଟି ଦେଲେନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଚିକିଲି ଗ୍ରାମର ଏହି ରାସ୍ତା କାମ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି ହରିଜନ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି। ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ନବରଙ୍ଗପୁର ବିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ରାସ୍ତା କାର୍ଯ୍ୟ ଶେଷ ହେବ। ଆଗାମୀ ଦିନରେ ଗ୍ରାମବାସୀ ଏହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି।