ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି ପଞ୍ଚାୟତରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ପହଞ୍ଚତ୍ପାରୁନାହିଁ। ଏହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନରେ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସୁନାବେଡାର ଲିଙ୍ଗଭଟ୍ଟା ଆମ୍ବ ବଗିଚାଠାରେ ଏକ ମେଳି କରିଥିଲେ। ସୁନାବେଡା ସରପଞ୍ଚ ତିଲସିଂ ଝାଙ୍କରଙ୍କ ନେତୃତ୍ୱରେ ଆୟୋଜିତ ସାଧାରଣ ସଭାରେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଆଦିବାସୀମାନଙ୍କ ପାଇଁ ସରକାର ଅଣଦେଖା କରୁଛନ୍ତି।

ଗୋଡାପାହାଡ ଉପରେ ବାସ କରୁଥିବା ଅଧିବାସୀ ଗମନାଗମନ, ବିଜୁଳି, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବାରୁ ସମ୍ପୂର୍ଣ୍ଣ ବଞ୍ଚତ୍ତ ହୋଇ ରହିଛନ୍ତି। ଏହାର ସମାଧାନ ରାଜ୍ୟ ସରକାର ଅତିଶୀଘ୍ର ନ କଲେ ଆମେ ଛତିଶଗଡ ରାଜ୍ୟରେ ମିଶିବୁ ବୋଲି ଜିଲା ପ୍ରଶାସନକୁ ସଭାରେ ଚେତାବନୀ ଦିଆଯାଇଛି। ସଭାରେ ବିଜୟ ଝାଙ୍କର, ବିଶ୍ରାମ ଛତ୍ରିଆ, ବିରକିଶୋର ଜଗତ, କମଳସିଂ ମାଝି, ଯାଦବ ଖମାରି, ଲକ୍ଷ୍ମଣ ସ୍ବାଇଁ, ଜୁବରାଜ ଛତ୍ରିଆ, ଭୁଜବଲ ମାଝି, କଳିରାମ ସୁଆର, ପୁରନ ବିଶ୍ୱାଳ, ଗୋସିଙ୍ଗ ମାଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳିରେ ସୁନାବେଡା ପଞ୍ଚାୟତ ଗାତିବେଡା, ଢେକୁନପାଣି, ସାଲେଭଟା, ଆମାମୋଲା, ଦାଥୁନାମା, ସନବାହାଲି, କୋରଡାବେଡା ଓ ସୋସେଙ୍ଗ ପଞ୍ଚାୟତର ଅଡାର, ଧାକଲି, ସୋସେଙ୍ଗ, ଦେଓସି, ଭାବସି, ଗୁରୁପାନି, ଶିବନାରାୟଣପୁର, ତାଲାବେଲା, ରୁପିଅମ, ଗଡଗଡା ଆଦି ଗାଁର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।

Share