ଦାବି ପୂରଣ ନ ହେଲେ ଷ୍ଟିୟରିଂ ଛାଡ଼ିବାକୁ ଚେତାବନୀ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। କରୋନା ମହାମାରୀ କାଳରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ମିଳୁ ନାହିଁ। ୧୦ ଦଫା ଦାବି ପୂରଣ ଲାଗି ଶୁକ୍ରବାର ହଜାର ହଜାର ସଂଖ୍ୟାରେ ଡ୍ରାଇଭର ନବୀନ ନିବାସମୁହାଁ ହୋଇଥିଲେ।
ଓଡ଼ିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ରସୁଲଗଡ଼ରୁ ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ। ଡ୍ରାଇଭରମାନଙ୍କ ବିଶାଳ ରାଲି ଯୋଗୁ ପ୍ରାୟ ୩ ଘଣ୍ଟା ଧରି ରାସ୍ତାଘାଟ ଜାମ୍‌ ହୋଇ ଯାଇଥିଲା। ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ ଜିଲାର ଜିଲାପାଳଙ୍କୁ ମହାସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ଦାବି ପୂରଣ ନ ହେବାରୁ ଡ୍ରାଇଭରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଏପରି କି ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱରମୁହାଁ ହୋଇଥିଲେ। ଆନ୍ଦୋଳନରତ ଡ୍ରାଇଭରଙ୍କ ଦାବି ଅନୁଯାୟୀ କରୋନା ବେଳେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଏ ଯାଏ ବହୁ ଡ୍ରାଇଭର କରୋନା ଟିକା ବି ପାଇପାରି ନାହାନ୍ତି। ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ପ୍ରତି ୧୦୦ କିମି ଦୂରତାରେ ବସ୍‌ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୫୫ ବର୍ଷ ପରେ ପେନ୍‌ସନ ବ୍ୟବସ୍ଥା, ଡ୍ରାଇଭରଙ୍କୁ ସୁରକ୍ଷା ଦେବା ଇତ୍ୟାଦି ମହାସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର ସମୟ ସୀମା ୮ ଘଣ୍ଟା ରଖିବା ସହ ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମରେ ୧୫ ହଜାର ଟଙ୍କା ଓ ଲାଇନ୍‌ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ କରିବା ଆଦି ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

Share