ଇଲେକ୍ଟ୍ରୋନିକ୍‌ ସାମଗ୍ରୀ କିଣୁଥିଲେ

ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଲଟିଗଲାଣି। ଏସବୁ ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ମନେହେଉଛି। ତେଣୁ ଏସବୁ ବହୁମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ସାମଗ୍ରୀ କିଣିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣି ରଖନ୍ତୁ ସେ ସମ୍ପର୍କରେ….

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯେତେ ଦାମୀ ହୋଇଥାଉ ନା କାହିଁିକି ଏହାର ରିସେଲ ଭ୍ୟାଲୁ ଖୁବ୍‌ କମ୍‌ କିମ୍ବା କେତେକର ଆଦୌ ନାହିଁ। ତେଣୁ ଯେଉଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକ ଆପଣଙ୍କର ନିହାତି ଆବଶ୍ୟକ କିଣନ୍ତୁ। ଯଦି ମାର୍କେଟକୁ କିଛି ନୂଆ ସାମଗ୍ରୀ କଲେକ୍ସନ ଆସୁଛି ତୁରନ୍ତ ନ କିଣି ପ୍ରଥମେ ତାହାର ବ୍ୟବହାର କିପରି ଏବଂ ତାହା ଆପଣଙ୍କର କେତେ କାମରେ ଲାଗିବ ଜାଣିବା ପରେ କିଣନ୍ତୁ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକରେ ପୂଜାପାର୍ବଣ ସମୟରେ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ପୁରୁଣା ବଦଳାଇ ନୂଆ ବା ଏକ୍ସଚେଞ୍ଚ୍‌, ବିଭିନ୍ନ ପ୍ରକାର ଡିସ୍କାଉଣ୍ଟ ଭଳି ଅନେକ ଅଫର ଆସିଥାଏ। ଏସବୁ ଦେଖି ଖୁସିରେ ଜିନିଷ କିଣିନେବା ବଦଳରେ ନିଜ ବଜେଟ୍‌ ଅନୁଯାୟୀ ଆବଶ୍ୟକ ଥିବା ସାମଗ୍ରୀ ହିଁ କିଣନ୍ତୁ। ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ଯଦି କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଦୋକାନୀ ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି କାର୍ଡ଼ ନ ଦେଉଛି ତେବେ ମାଗନ୍ତୁ। କେବଳ ଏତିକି ନୁହେଁ ଏହା ସମ୍ପର୍କରେ ଭଲ ଭାବେ ବୁଝି ନିଅନ୍ତୁ। କାରଣ ଅଧିକାଂଶ କମ୍ପାନୀ ହାର୍ଡଓ୍ବେର ଉପରେ ଓ୍ବାରେଣ୍ଟି, ଗ୍ୟାରେଣ୍ଟି ଦେଉଥିବା ବେଳେ ସଫ୍ଟଓ୍ବେର୍‌ ଉପରେ ଦେଇ ନ ଥାଏ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କେବେ ଅନ୍ୟଠୁ କିମ୍ବା ବିଜ୍ଞାପନରୁ ପ୍ରଭାବିତ ହୋଇ କିଣନ୍ତୁ ନାହିଁ। ଅଧିକ ଆପ୍ଲିକେଶନ୍‌ ବ୍ୟବହାର ନ କରୁଥିଲେ ଏହା ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ନ କରି ନିଜର ଆବଶ୍ୟକତା ଅନୁଯାୟୀ ଜିନିଷ ବାଛନ୍ତୁ।
ପ୍ରତ୍ୟେକ ଦୋକାନରେ ଏବଂ ଅନ୍‌ଲାଇନ୍‌ ସାଇଟ୍‌ଗୁଡ଼ିକରେ ବିଭିନ୍ନ ବ୍ରାଣ୍ଡକୁ ନେଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ଦାମ୍‌ ଭିନ୍ନ ଭିନ୍ନ ଥାଏ, ତେଣୁ କିଣିବା ପୂର୍ବରୁ ମାର୍କେଟ୍‌ ରିସର୍ଚ୍ଚ କରିପାରିଲେ ଅଧିକ ଉପକୃତ ହୋଇପାରିବେ। ତେବେ ମାର୍କେଟ୍‌ ରିସର୍ଚ୍ଚ ପାଇଁ ସବୁବେଳେ ବାହାରକୁ ଯାଇ ଶୋ’ରୁମ୍‌ରୁ ଶୋ’ରୁମ୍‌ ବୁଲିବା ଆବଶ୍ୟକ ତା’ ନୁହେଁ, ଆପଣ ଘରେ ବସି ଇଣ୍ଟରନେଟ୍‌ରେ ଲାଟେଷ୍ଟ ମଡ଼େଲ୍‌, ସେଥିରେ ଉପଲବ୍ଧ ସୁବିଧା, ଉପଯୋଗିତା, ଦାମ୍‌ ଆଦି ବିଷୟରେ ଜାଣିପାରିବେ।
ଯଦି ଅନ୍‌ଲାଇନ୍‌ରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଗାଉଛନ୍ତି ତେବେ ଏଣୁ ତେଣୁ ସାଇଟ୍‌ ବ୍ୟବହାର ନ କରି ରେଜିଷ୍ଟର୍ଡ ସାଇଟ୍‌ରୁ ମଗାନ୍ତୁ। ଏକ୍ସଚେଞ୍ଜ ଅଫର ଅଛି କି ନାହିଁ
ଏବଂ କ୍ୟାଶ୍‌ ଅନ୍‌ ଡେଲିଭରୀ ସୁବିଧା ଅଛି କି ନାହିଁ ଚେକ୍‌ କରି ନିଅନ୍ତୁ।