ଧୋଇଗଲା ଆପ୍ରୋଚ୍‌ ରୋଡ୍‌

ପରଜଙ୍ଗ,୨୬।୬(ନିଗମାନନ୍ଦ ଦଳବେହେରା): ପ୍ରବଳ ବର୍ଷାରେ ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ନିର୍ମିତ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଫଳରେ ପଣ୍ଡୁଆ-ଭାଲୁମୁଣ୍ଡାକୁ ଯାତାୟାତ ଠପ୍‌ ହୋଇଯାଇଛି। କାମାକ୍ଷାନଗର, ପରଜଙ୍ଗ ବ୍ଲକର ୧୦ ପଞ୍ଚାୟତର ଲୋକେ ଏହାଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି। ପଣ୍ଡୁଆ-ଭାଲୁମୁଣ୍ଡା ଭାୟା ସାଆନ୍ଦାକୁ ସଂଲଗ୍ନ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ, ବତାସିଂହ ଗ୍ରାମ ନିକଟ ଯୋର ଉପରେ ନିର୍ମାଣାଧୀନ ବ୍ରିଜ୍‌ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ଯାତାୟାତର ବିକଳ୍ପ ଭାବେ ଉକ୍ତ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇଥିଲା। ରବିବାର ଦିନସାରା ବର୍ଷା ଯୋଗୁ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଏଥିରେ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ୧୦ ପଞ୍ଚାୟତବାସୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ସାଜିଥିବା ଉକ୍ତ ଅସ୍ଥାୟୀ ରାସ୍ତା ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଯୋଗାଯୋଗ ସମ୍ଭବପର ହୋଇପାରୁ ନ ଥିବାରୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।