Categories: ଖେଳ

ଓ୍ବାଶିଂଟନ ସୁନ୍ଦରଙ୍କୁ ନେଇ ବଡ ଖୁଲାସା, ଟେଷ୍ଟ ମ୍ୟାଚ୍‌ ଭିତରେ ଦୋକାନ ଯାଇ…

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ବାଶିଂଟନ ସୁନ୍ଦର। ଉକ୍ତ ଟେଷ୍ଟ ମ୍ୟାଚ୍‌ ଜିତିବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ହେଲେ ଏବେ ତାଙ୍କୁ ଡ୍ରେସିଂ ରୁମ୍‌ ବାହାରର ଏକ ବଡ଼ ଘଟଣା ଲୋକଲୋଚନକୁ ଆସିଛି। ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ଆର୍‌. ଶ୍ରୀଧର କହିଛନ୍ତି, ଏକ ସମୟରେ ସୁନ୍ଦରଙ୍କ ପାଖରେ ବ୍ୟାଟିଂ କରିବାକୁ ପ୍ୟାଡ୍‌ ନ ଥିଲା। ତାଙ୍କର ଡେଙ୍ଗା ଗୋଡ ହୋଇଥିବାରୁ ଟିମ୍‌ ଏବଂ ସର୍ପୋଟ ଷ୍ଟାଫ୍‌ ମିଶି ପ୍ୟାଡ୍‌ ଖୋଜାରେ ଲାଗି ପଡ଼ିଥିଲେ। ହେଲେ ସବୁ ଛୋଟ ହୋଇଥିଲା। ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପ୍ୟାଡ୍‌ ମଗାଯାଇଥିଲା। କରୋନା କଟକଣା କାରଣରୁ ତାଙ୍କ ପାଖରେ ଅତିରିକ୍ତ ପ୍ୟାଡ୍‌ ନ ଥିଲା। ଶେଷରେ ମ୍ୟାଚ୍‌ ଆରମ୍ଭ ହେବା ପରେ ଦୋକାନରୁ ତାଙ୍କ ପାଇଁ ପ୍ୟାଡ୍‌ କିଣାଯାଇଥିଲା ବୋଲି ସେ କହିଛନ୍ତି।

ଟି୨୦ ଅନ୍ତଃରାଷ୍ଟ୍ରୀୟ ସିରିଜ୍‌ରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ସୁନ୍ଦର। ସେଠାରେ ସେ କିଛି ମ୍ୟାଚ୍‌ ଖେଳି ଟିମ୍‌ ସହ ରହିଥିଲେ। ସେତେବେଳେ ସେ ଟେଷ୍ଟ ଟିମ୍‌ରେ ସାମିଲ ହୋଇ ନ ଥିଲେ। ନେଟ୍‌ ବୋଲର ଭାବେ  ଟିମ୍‌ ସହ ଥିଲେ। ତେବେ ଗାବା ଟେଷ୍ଟ ପୂର୍ବରୁ ଦଳର ପ୍ରମୁଖ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ  ଆହତ ହୋଇଥିଲେ। ଫଳରେ ଏହି ଟେଷ୍ଟରେ ସୁନ୍ଦରଙ୍କୁ ଏକାଦଶରେ ସ୍ଥାନ ମିଳିଥିଲା।

Share