Categories: ଖେଳ

ଦ୍ୱିତୀୟ ଟେଷ୍ଟରେ ନେତୃତ୍ୱ ନେବା ଲାଗି ରାହୁଲ ଉଚିତ ଖେଳାଳି ନ ଥିଲେ

ଜୋହାନ୍ସବର୍ଗ,୯।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଭାବେ କ୍ୟାରିୟର ଅଛନ୍ତି। ଆହତ ସମସ୍ୟା କାରଣରୁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଦିଆଯାଇଥିଲା ଗୁରୁତ୍ୱପୂର୍ଣ୍ଣ ଭାର। କିନ୍ତୁ ମ୍ୟାଚ୍‌ର ଫଳାଫଳ ଯାଇଥିଲା ଟିମ୍‌ ଇଣ୍ଡିଆ ବିପକ୍ଷରେ। ପୂର୍ବତନ ଭାରତୀୟ ଓପନିଂ ବ୍ୟାଟର ଓ୍ବାସିମ ଜାଫରଙ୍କ ମତରେ ନେତୃତ୍ୱ ଦାୟିତ୍ୱ ଲାଗି ରାହୁଲ ଉଚିତ ବିକଳ୍ପ ନ ଥିଲେ। ତାଙ୍କ ବଦଳରେ ଏହି ଦାୟିତ୍ୱ ଅଜିଙ୍କ୍ୟ ରାହାନେଙ୍କୁ ଦିଆଯିବାର ଥିଲା।

ତେବେ ଦକ୍ଷିଣ ଆଫ୍ରିକା ସିରିଜ୍‌ ଲାଗି ଦଳ ଘୋଷଣା ବେଳେ ରାହାନେଙ୍କ ଠାରୁ ଉପ ଅଧିନାୟକ ଭାର ନିଆଯାଇ ଦିଆଯାଇଥିଲା ରୋହିତ ଶର୍ମାଙ୍କୁ। କିନ୍ତୁ ଆହତ ସମସ୍ୟା କାରଣରୁ ରୋହିତ ସିରିଜ୍‌ ଲାଗି ଉପଲବ୍ଧ ନ ଥିବାରୁ ରାହୁଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଦ୍ୱିତୀୟ ଟେଷ୍ଟ ଲାଗି ଦେଇଥିଲା ଦଳର ନେତୃତ୍ୱ ଦାୟିତ୍ବ।

“ଟିମ୍‌ ମ୍ୟାନଜମେଣ୍ଟର ନିଷ୍ପତ୍ତି ମୋତେ ଚକିତ କରିଥିଲା। ରାହାନେ ଉପଲବ୍ଧ ଥିବା ସତ୍ତ୍ୱେ ରାହୁଲଙ୍କୁ ଅଧିନାୟକ ଭାର ଦେବାର ଆବଶ୍ୟକତା କ’ଣ ମୁଁ ବୁଝିପାରୁନି। କାରଣ ଅଧିନାୟକ ଭାବେ ରାହାନେ କଦାପି ଟେଷ୍ଟ ମ୍ୟାଚ୍‌ ହାରି ନାହାନ୍ତି। ମୁଁ ରାହୁଲଙ୍କୁ ବିରୋଧ କରୁ ନାହିଁ। ସେ ଜଣେ ପ୍ରତିଭାଶାଳୀ ଯୁବ ଖେଳାଳି ଓ ସେ ପଞ୍ଜାବ କିଙ୍ଗ୍ସ ଦଳର ନେତୃତ୍ୱ ନେଇସାରିଛନ୍ତି। ଲୋକେ ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ଦେଖୁଛନ୍ତି। କିନ୍ତୁ ମୋ ମତରେ କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଦଳର ନେତୃତ୍ୱ ନେବା ଉଚିତ ଥିଲା” ବୋଲି ଜାଫର କହିଛନ୍ତି।

Share