କରାଚୀ,୧୧।୫ : ଗତବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସଭିଙ୍କୁ ଚମକାଇ ଦେଇଥିଲେ ପାକିସ୍ତାନ ପେସର ମହମ୍ମଦ ଅମିର। ସେତେବେଳେ ତାଙ୍କ ଉପରେ ମୁଖ୍ୟ କୋଚ୍ ମିଶବା ଉଲ ହକ୍ ଓ ବୋଲିଂ କୋଚ୍ ଓ୍ବାକର ୟୁନିସ ମାନସିକ ଚାପ ପକାଉଥିବା ଅଭିଯୋଗ ଆଣିଥିଲେ ୨୮ ବର୍ଷୀୟ ବାମହାତୀ ପେସର।
ଏ ସମ୍ପର୍କରେ ମଙ୍ଗଳବାର ଏକ ସାକ୍ଷାତ୍କାରରେ ଅମିର କହିଛନ୍ତି, ଦେଶ ପାଇଁ ଖେଳିବା ବନ୍ଦ କରିବା ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା। ନିଷ୍ପତ୍ତି ବିଷୟରେ ବହୁ ଚିନ୍ତା କରିଥିଲି। ମୋ ନିକଟତର ବନ୍ଧୁଙ୍କ ସହ କଥା ହେବା ପରେ ପହଞ୍ଚିଥିଲି ଏଭଳି ନିଷ୍ପତ୍ତିରେ। ସମ୍ପୂର୍ଣ୍ଣ ତଥ୍ୟ ଖୋଲିବା ଉଚିତ ହେବ ନାହିଁ। ମୁଁ ଯେଉଁ କାରଣରୁ କ୍ରିକେଟ ଛାଡ଼ିଛି, ଆମ ଯୁବ ଖେଳାଳିମାନେ ସେଭଳି କିଛି ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତୁ।
ମୁଁ ସମ୍ମାନକୁ ସବୁଠୁ ଆଗରେ ରଖେ। ମୋତେ ଯେତିକି ସମ୍ମାନ ମିଳିବା କଥା, ମିଳୁ ନ ଥିଲା। ଏଣୁ ସନ୍ନ୍ୟାସ ନିଷ୍ପତ୍ତି ସମ୍ପର୍କରେ ଚିନ୍ତା କରିଥିଲି। ଏବେ ମୋ ଜୀବନରେ ମୁଁ ଖସି ଅଛି ବୋଲି ସେ କହିଛନ୍ତି। ଦେଶ ପାଇଁ ୩୬ ଟେଷ୍ଟ, ୬୧ ଦିନିକିଆ ଓ ୫୦ ଟି୨୦ ମ୍ୟାଚ୍ ଖେଳିଥିବା ବାମହାତୀ ପେସର ମୋଟ ଉପରେ ୨୫୯ ଉଇକେଟ ନେଇଥିଲେ।