Categories: ଗଜପତି

ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ

ପାରଳାଖେମୁଣ୍ଡି,୨୪।୨(ଡି.ଏନ୍‌.ଏ.):  ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି। ପ୍ରଶାସନ ସବୁ ଜାଣି ଚୁପ ରହିଛି। ଗଜପତି ଜିଲା ମୋହନା ବ୍ଲକର ୩୯ ପଞ୍ଚାୟତରେ ଅନେକ ଧରଣର ଦିବ୍ୟାଙ୍ଗ ରହିଛନ୍ତି। ସେମାନଙ୍କ ପାଇଁ ଆସିଥିବା ଦୁଇ ଓ ତିନିଚକ ବିଶିଷ୍ଟ ସାଇକେଲ ଓ ଆଶାବାଡି ସେମାନଙ୍କୁ ଦିଆନଯାଇ କାର୍ଯ୍ୟାଳୟ ବାହାରେ ଏକ ପରିତ୍ୟକ୍ତ କୋଠରିରେ ଖତ ଖାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମନସୀ ବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୭ରେ ସେ ଏହି ବିଭାଗର ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ସାମଗ୍ରୀଗୁଡିକ ଜାନୁୟାରୀରେ ବୈଠକ କରି ସେମାନଙ୍କୁ ବଣ୍ଟନ ହୋଇଥାନ୍ତା। ହେଲେ ସେ ବୈଠକ ବାତିଲ ହୋଇଛି ଏବଂ ଯାହା ଗୋଦାମରେ ରହିଛି ତାହା ୨୦୧୬ରୁ ପଡି ରହିଛି, ନୂଆ ସାଇକେଲ ଓ ଅନ୍ୟ ସାମଗ୍ରୀ ବାହାରେ ରଖାଯାଇଛି ବୋଲି କହିଛନ୍ତି। ତେବେ ୨୦୧୬ରୁ ଏତେ ପରିମାଣରେ ସହାୟକ ଉପକରଣ ଉପରେ କିପରି ବ୍ଲକ ପ୍ରଶାସନର ନଜର ପଡୁନି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।