ପୋଖରୀରେ ବର୍ଜ୍ୟବସ୍ତୁ: ଲକ୍ଷାଧିକ ମାଛ ମଡ଼କ

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗୁଡ଼ା ପୌର ପରିଷଦ ଅଧୀନ ପୁରୁଣାବସ୍ତିର ୧୭ ଏକର ଜମିରେ ଥିବା ବୃହତ୍‌ ପୋଖରୀରେ ୨ଦିନ ହେଲାଣି ମାଛ ମଡ଼କ ଦେଖାଦେଇଛି। ପୋଖରୀରେ ଲକ୍ଷାଧିକ ବିଭିନ୍ନ ପ୍ରକାର ଛୋଟବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ବେଦାନ୍ତ କାରଖାନାର ବର୍ଜ୍ୟବସ୍ତୁ ଓ ଡ୍ରେନ୍‌ ପାଣି ପୋଖରୀରେ ପଶି ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଘଟଣାର ତଦନ୍ତ କରି କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ନ ହେଲେ ଆଗାମୀ ଦିନରେ ସହର ମୁଖ୍ୟରାସ୍ତା ଓ ବସ୍‌ଷ୍ଟାଣ୍ଡ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏନେଇ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତ୍ୟୁଷ ଜେନା କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ହେଲାପରେ ଏହାର ତଦନ୍ତ ପାଇଁ କମ୍ପାନୀ ତରଫରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି।