ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ

ଯାଜପୁର ଅଫିସ,୨୯ା୫: କଳା, ସଂସ୍କୃତି ଓ ଐତିହ୍ୟର ଉତ୍କର୍ଷକୁ ଆଧାର କରି ଯାଜପୁରର ଇତିହାସ ଯେତେ ସମୃଦ୍ଧ ସେତେ ପରିଚିତ ଏହାର ଖଣିଜ ସମ୍ପଦ, ଶିଳ୍ପ ଏବଂ ଆର୍ଦ୍ରଭୂମି। ଆର୍ଦ୍ରଭୂମିଗୁଡ଼ିକ ଜଳବିଜ୍ଞାନ ଚକ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଜୈବବିବିଧତାକୁ ସୁଦୃଢ଼ କରିଥାଏ। ଜଳ ସଂରକ୍ଷଣ, ବିଶୋଧନ ଏବଂ ବନ୍ୟା ନିୟନ୍ତ୍ରଣରେ ଆଦର୍‌ରଭୂମିଗୁଡ଼ିକ ସହାୟକ ହୋଇଥାଏ। କିନ୍ତୁ ଜମି କିସମ ପରିବର୍ତ୍ତନ ସମେତ ଖଣି ଓ ଶିଳ୍ପାଞ୍ଚଳର କଠିନ ବର୍ଜ୍ୟବସ୍ତୁ, ପ୍ରଦୂଷଣ ଓ ଜବରଦଖଲ ଦ୍ୱାରା ଯାଜପୁର ଜିଲାର ଅନେକ ଆଦର୍‌ରଭୂମି ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ସୁରକ୍ଷା ଏବଂ ପୁନରୁଦ୍ଧାର ନିହାତି ଆବଶ୍ୟକ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ଭୌଗୋଳିକ ଦୃଷ୍ଟିକୋଣରୁ ଯାଜପୁର ଜିଲାର ସମୁଦାୟ ଅଞ୍ଚଳ ୨୮୮୫ ବର୍ଗ କିମି ରହିଛି। ସେଥିରୁ ୧୫,୭୧୪ ହେକ୍ଟର ଅଞ୍ଚଳ ଆଦର୍‌ରଭୂମି ରହିଛି। ଏଥିରେ ୩୮୦ଟି ୨.୨୫ ହେକ୍ଟରରୁ ଅଧିକ ଏବଂ ୨୧୬୯ଟି ୨.୨୫ ହେକ୍ଟରରୁ କମ୍‌ ଆଦର୍‌ରଭୂମି ଅଞ୍ଚଳ ରହିଛି। ଏହି ଆଦର୍‌ରଭୂମିଗୁଡ଼ିକର ସଂରକ୍ଷଣ ଏବଂ ପରିଚାଳନା ଆଇନ-୨୦୧୭ ଅନୁସାରେ ଚିହ୍ନଟ ଏବଂ ସୀମାଙ୍କନ କରିବାକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ୧୭ା୮ା୨୦୧୯ରେ ରାଜ୍ୟ ଆଦର୍‌ରଭୂମି ପ୍ରାଧିକରଣ ପକ୍ଷରୁ ଶେଷଥର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ, ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଥିଲା। ଏହାସହ ଏକ ଗ୍ରିଭାନ୍ସ କମିଟି ମଧ୍ୟ ହୋଇଥିଲା। ବୈଷୟିକ କମିଟି ରାଜ୍ୟରେ ଥିବା ସମସ୍ତ ଆଦର୍‌ରଭୂମି ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବ। ସେହିପରି ସମସ୍ତ ଆଦର୍‌ରଭୂମିକୁ ନେଇ ଏକ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ହେଲେ ଉକ୍ତ ପ୍ରକ୍ରିୟାର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୦ରେ ଯାଜପୁର ଜିଲାର ସୁକିନ୍ଦା ପାଟକୁ ୱେଟଲ୍ୟାଣ୍ଡ ଆଟଲାସ୍‌ରେ ସ୍ଥାନିତ କରାଯାଇଛି। ସୁକିନ୍ଦା ପାଟରେ ପ୍ରାୟ ୪୦୦ ଏକର ପର୍ଯ୍ୟନ୍ତ ଆଦର୍‌ରଭୂମି ଥିବାବେଳେ ଆଟଲାସ୍‌ରେ ମାତ୍ର ୨୦୦ ଏକର ଦର୍ଶାଯାଇଛି। ସୁକିନ୍ଦା ଏବଂ କେନ୍ଦୁଝର ଜିଲାର ବିଭିନ୍ନ ପାର୍ବତ୍ୟାଞ୍ଚଳରୁ ଗଣ୍ଡାନାଳାର ଉତ୍ପତ୍ତି ହୋଇଛି। ବନ୍ୟା ସମୟରେ ଏହି ଗଣ୍ଡାନାଳା ପାଣିରେ ସୁକିନ୍ଦା ପାଟ ଆଦର୍‌ରଭୂମି ପ୍ରାୟ ସପ୍ତାହ ଧରି ବୁଡ଼ି ରହିଥାଏ। ଏହାସହ ମାନ୍ତିରା ପାଟ, ଗଡ଼ମଧୁପୁର ପାଟ, ଜେନାପୁର ପାଟ, ସୋରିଷା ପାଟ, ବେଣାପାଟ ଇତ୍ୟାଦି ଆଦର୍‌ରଭୂମି ରହିଛି। ସରକାରୀ ରେକର୍ଡ ଅନୁସାରେ ସୁକିନ୍ଦା ପଟା ଆଦର୍‌ରଭୂମି ପ୍ରାୟ ୬୦୦୦ ଏକର ଜମିରେ ରହିଛି। ଏହା ସୋଲଗଡ଼ିଆ, ଲବଙ୍ଗ, ସୋରିଷା, ମାର୍ଥାପୁର, ବାଲିପୋଷି, ଗୋଟୁଆ, କିମ୍ଭିରାଗାଡ଼ିଆ, ମାରୁତିକର, ଜଗଡ଼ିହ, ଚାକୁଆ ରାଜସ୍ବ ମୌଜାରେ ରହିଛି। ବ୍ରାହ୍ମଣୀ ନଦୀର ପଶ୍ଚିମ ଦିଗରୁ ପୂର୍ବ ଦିଗ ଯୋକଡ଼ଆ-ମୁଣ୍ଡୋମାଳ ପର୍ଯ୍ୟନ୍ତ ଲମ୍ବିଛି। କିନ୍ତୁ ଏହିସବୁ ଆଦର୍‌ରଭୂମି ଏବେ ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ଜମି କିସମ ପରିବର୍ତ୍ତନ କରାଯାଇ କେତେକ ଉନ୍ନୟନ କାର୍ଯ୍ୟ ମଧ୍ୟ ହେଉଛି, ଯାହାକି ଜୈବବିବିଧତା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ବୋଲି ଅଭିଯୋଗ ହେଉଛି। ଏହା ସର୍ବସାଧାରଣରେ ସ୍ବୀକୃତି ହୋଇଛି ଯେ ଆର୍ଦ୍ରଭୂମି ପୃଥିବୀର ସବୁଠାରୁ ପରିବେଶ ଓ ଜୈବବିବିଧତା ସନ୍ତୁଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ ପ୍ରକାରର ରୋଗଜନିତ କୀଟାଣୁ(ମାଇକ୍ରୋବସ), ଉଦ୍ଭିଦ, କୀଟପତଙ୍ଗ, ଜୀବଜନ୍ତୁ, ସରୀସୃପ, ପକ୍ଷୀ, ମାଛ ଏବଂ ସ୍ତନ୍ୟପାୟୀ ପ୍ରାଣୀ ବାସ ଏବଂ ଖାଦ୍ୟ ପାଇଁ ଆର୍ଦ୍ରଭୂମି ଉପରେ ନିର୍ଭର କରିଥାନ୍ତି। ତେଣୁ ଆଦର୍‌ରଭୂମିଗୁଡ଼ିକର ସୁରକ୍ଷା ଏବଂ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲାପାଳ ଓ କଟକ ଡିଏଫ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା

Share