ନାଉଗାଁ ,୨୪ା୧(ସ୍ବ.ପ୍ର.): ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗ ପକ୍ଷରୁ ନାଉଗଁା ବ୍ଲକର ବିଭିନ୍ନ ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ କେଉଁଠି ପାଇପ ଫାଟି ପାଣି ବାହାରି ଯାଉଛି ତ ଆଉ କେଉଁଠି ପାଇପରେ ନର୍ଦ୍ଦମା ପାଣି ମିଶୁଛି। ଏହାର ଉଦାହରଣ ଏହି ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତର ଗୋବରୀକୂଳ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମକୁ ଗଙ୍ଗଦାହାଟଠାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ପାଇପ ସଂଯୋଗ କରାଯାଇଛି। ମାତ୍ର ଏହି ପାଇପ୍ ଫାଟି ପାଣି ବାହାରୁଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାନୀୟ ଜଳ ପ୍ରକଳ୍ପରୁ ସଂଯୋଗ କରାଯାଇଥିବା ଏହି ପାଇପଗୁଡିକ ନିମ୍ନମାନର। ଏଥିସହ ଏଗୁଡ଼ିକୁ ସାମାନ୍ୟ ମାଟି ଖୋଳାଯାଇ ପୋତା ଯାଇଛି। ଫଳରେ ରାସ୍ଥାରେ ଯାନବାହନ ଯାତାୟାତ ସମୟରେ ମାଟି ଦବି ପାଇପ୍ ଫାଟି ଯାଉଛି। ନିମ୍ନମାନର କାର୍ଯ୍ୟ ଯୋଗୁ ପାଇପ୍ ଫାଟି ପାନୀୟ ଜଳ ନଷ୍ଟ ହେଉଥିବାବେଳେ ରାସ୍ତାରେ ପାଣି ଜମି ଯାତାୟାତରେ ସମସ୍ୟା ହେଉଛି। ବାରମ୍ବାର ଏପରି ଅସୁବିଧା ହେଉଥିବାରୁ ପୁରୁଣା ପାଇପ ବଦଳ କରାଯାଇ ନୂତନ ସଂଯୋଗ କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତପନ ରାଉତ କୁହନ୍ତି, ଖୁବ୍ଶୀଘ୍ର ପାଇପ୍ ମରାମତି କରିବା ପାଇଁ ବ୍ୟବସ୍ଥା କରାଯିବ।