ଅନୁଗୋଳ ଅଫିସ, ୩୧ା୮: କରୋନା କଟକଣା ମଧ୍ୟରେ ସୋମବାର ସ୍ବାୟତ୍ତ ଶାସନ ଦିବସ ପାଳିବ ଅନୁଗୋଳ ପୌରପାଳିକା। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି। ନିରାଡମ୍ବର ଭାବେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ଚଳିତବର୍ଷ ପୌରପାଳିକାର ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ସହ ମ୍ୟାଟ୍ରିଆଲ୍ ରିକଭରି ଫ୍ୟାସିଲିଟି (ଏମ୍ଆର୍ଏଫ୍) ଉଦ୍ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଉଦ୍ଘାଟନ କରିବେ। ସେହିପରି ପଞ୍ଚମହଲାରେ ହୋଇଥିବା ଫିକଲ ସ୍ଲଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ(ଏଫ୍ଏସ୍ଟିପି) ପାଇଁ ଚୁକ୍ତି ସ୍ବାକ୍ଷର ହେବ। ସହରରୁ ଦୈନିକ ବାହାରୁଥିବା ଟନ୍ ଟନ୍ ଆବର୍ଜନା ଏଠାରେ ପ୍ରକ୍ରିୟାକରଣ କରାଯାଇ ସାର ଉତ୍ପାଦନ କରାଯିବ, ଯାହା ପୌରପାଳିକାର ଆର୍ଥତ୍କ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।
୧୯୬୬ ଡିସେମ୍ବର ୨୧ରେ ଅନୁଗୋଳରେ ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ହୋଇଥିଲା। ସେ ସମୟରେ ଓ୍ବାର୍ଡ ସଂଖ୍ୟା ଥିଲା ୧୨। ପରବର୍ତ୍ତୀ ସମୟରେ ୧୭ ଓ ପରେ ଏହା ୨୧କୁ ବୃଦ୍ଧି ପାଇଥିଲା। ୨୦୦୮ ଜୁନ୍ ୧୬ରେ ଏହା ପୌରପାଳିକାରେ ପରିଣତ ହେଲା। ଏହାପରେ ୱାର୍ଡ ସଂଖ୍ୟା ବୃଦ୍ଧି ପାଇ ଏବେ ୨୩ରେ ପହଞ୍ଚିଛି। ୨୦୧୮ ଅକ୍ଟୋବର ୧ ତାରିଖରୁ ବିନା କାଉନସିଲ୍ରେ ପୌରପାଳିକା ଚାଲୁଛି। ଜିଲାପାଳ ଏହାର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ସହରର ଲୋକ ସଂଖ୍ୟା ଥିଲା ୪୩ ହଜାର ୭୯୫, ଯାହା ବର୍ତ୍ତମାନ ୭୦ ହଜାରରୁ ଅଧିକ ହେଲାଣି। କିନ୍ତୁ ସରକାରଙ୍କ ପକ୍ଷରୁ ୨୦୧୧ ଲୋକ ସଂଖ୍ୟା ଅନୁସାରେ ସଫେଇ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ପ୍ରତି ୱାର୍ଡକୁ ୬ ଜଣ ଲେଖାଏ ସଫେଇ କର୍ମଚାରୀ ପ୍ରଦାନ କରାଯାଉଥିବାରୁ ଏହା ଯଥେଷ୍ଟ ହେଉନାହିଁ। ଫଳରେ ଆବର୍ଜନା ସମସ୍ୟା ସବୁବେଳେ ମୁଣ୍ଡବ୍ୟଥାର କାରଣ ହେଉଛି।
ଉତ୍ପାଦନ ପାଇଁ ପ୍ରସ୍ତୁତ ଏମ୍ସିସି, ଏମ୍ଆର୍ଏଫ୍
ଅନୁଗୋଳ ସହରର ହେମସୁରପଡ଼ା, ହୁଲୁରୁସିଂହା ଓ ମିଶ୍ରପଡ଼ାରେ ପାଖାପାଖି ଦେଢ଼ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ଓ ମ୍ୟାଟ୍ରିଆଲ ରିକଭରି ଫ୍ୟାସିଲିଟି (ଏମ୍ଆର୍ଏଫ୍) ପ୍ରକଳ୍ପ ନିର୍ମାଣ କରାଯାଇଛି। ସହରରୁ ସଂଗ୍ରହ କରାଯାଉଥିବା ଆବର୍ଜନାକୁ ଏହି ଏମ୍ସିସିରେ ପ୍ରକ୍ରିୟାକରଣ କରାଯାଇ ସାର ଉତ୍ପାଦନ କରାଯିବ। ଉକ୍ତ ସାରକୁ ସହରବାସୀଙ୍କୁ କିଲୋ ପ୍ରତି ୨୦ ଟଙ୍କା ଲେଖାଏରେ ବିକ୍ରି କରାଯିବ। ସେହିପରି ଏମ୍ସିସିରୁ ପ୍ଲାଷ୍ଟିକ୍ ଆବର୍ଜନା ଅଲଗା କରାଯାଇ ଏମ୍ଆର୍ଏଫ୍କୁ ପଠାଯିବ। ସେଠାରେ ତାହାକୁ ଗୁଣ୍ଡ କରାଯାଇ ବରଗଡ଼ର ସିମେଣ୍ଟ କରାଖାନାକୁ ଯୋଗାଯିବାର ଯୋଜନା ରହିଛି।
କାର୍ଯ୍ୟକ୍ଷମ ହେଲାଣି ଏଫ୍ଏସ୍ଟିପି
ଅନୁଗୋଳ ସହର ଉପକଣ୍ଠ ପଞ୍ଚମହଲାରେ ଫିକଲ ସ୍ଲଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ(ଏଫ୍ଏସ୍ଟିପି) ୩କୋଟି ଟଙ୍କାରେ ନିର୍ମାଣ କରାଯାଇଛି। ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଘରୁ ସଂଗୃହୀତ ମଳରୁ ଏହି ପ୍ଲାଣ୍ଟରେ ଜୈବିକ ସାର ପ୍ରସ୍ତୁତ କରାଯିବ। ଏହି ଜୈବିକ ସାରକୁ ମତ୍ସ୍ୟସମ୍ପଦ ସହ ଜଙ୍ଗଲ ବିଭାଗକୁ ପ୍ରଦାନ କରାଯିବ। ଏଥିସହ ଯେଉଁ ଲୋକମାନେ ଏହାକୁ ନେବାକୁ ଚାହିଁବେ ସେମାନଙ୍କୁ ମଧ୍ୟ କିଲୋ ପିଛା ୨୦ ଟଙ୍କା ଲେଖାଏରେ ପ୍ରଦାନ କରାଯିବ। ଏଥିପାଇଁ ସୋମବାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏଏଲ୍ଏଫ୍ ସହ ରାଜିନାମା ସ୍ବାକ୍ଷର କରାଯିବ। ଏହି ସ୍ବୟଂ ସହାୟକ ଗୋଷ୍ଠୀ ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ସହ ସଫେଇ ଓ ବଗିଚା ଦାୟିତ୍ୱ ତୁଲାଇବ। ଇତିମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇସାରିଛି ଓ ୧୦ କୁଇଣ୍ଟାଲ ଜୈବିକ ସାର ମଧ୍ୟ ଉତ୍ସାଦନ ସରିଥିବା ସୂଚନା ମିଳିଛି।
ସନ୍ତୁଷ୍ଟ ନୁହନ୍ତି ସହରବାସୀ
ଆବର୍ଜନା ପରିଚାଳନାରେ ଅନୁଗୋଳ ପୌରପାଳିକାର ପଦକ୍ଷେପକୁ ନେଇ ସନ୍ତୁଷ୍ଟ ନୁହନ୍ତି ସହରବାସୀ। ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣରେ ୨୦୧୯ରେ ରାଜ୍ୟର ଅନ୍ୟ ପୌରାଞ୍ଚଳକୁ ପଛରେ ପକାଇ ଅନୁଗୋଳ ପୌର ପରିଷଦ ନମ୍ବର ୧ ହୋଇଥିବା ବେଳେ ୨୦୨୦ରେ ଏହା ୯ମ ସ୍ଥାନକୁ ଖସିଯାଇଛି। ଯଦିଓ ଜାତୀୟସ୍ତରୀୟ ତାଲିକାରେ ଅନୁଗୋଳ ଉପରକୁ ଉଠିଛି ତଥାପି ଆହୁରି ବହୁତ କିଛି କରିବାର ବାକି ଅଛି ବୋଲି ସହରବାସୀ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଶାନ୍ତନୁ କୁମାର ସରଙ୍କ କହିବା ଅନୁଯାୟୀ, ପ୍ରଥମେ ଡ୍ରେନ୍ ସମସ୍ୟାର ସମାଧାନ ଆବଶ୍ୟକ। ଡ୍ରେନ୍ ଉପରୁ ଜବରଦଖଲ ହଟାଯାଉ। ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଉ। ସହର ସଫା ସୁତରା ରହିଲେ ଏହାର ଗାରିମା ବୃଦ୍ଧି ସହ ଅନ୍ୟ ପୌରାଞ୍ଚଳ ପାଇଁ ଉଦାହରଣ ହୋଇପାରିବ। ସେହିପରି ଶରତ ସାହୁ କହିଛନ୍ତି, ଭବିଷ୍ୟତକୁ ଲକ୍ଷ୍ୟ କରାଯାଇ ପଦକ୍ଷେପ ନିଆଯିବା ଆବଶ୍ୟକ। ଅଧିକ ଜଳଉତ୍ସ ସହ ପରିମଳ ଉପରେ ଧ୍ୟାନ ଦିଆଯିବା ଜରୁରୀ। ସରୋଜ ପାଣିଗ୍ରାହୀ କହିଛନ୍ତି, ପୌରପାଳିକା ପ୍ରତି ଜନପ୍ରତିନିଧିଙ୍କ ଓ ଜନସାଧାରଣଙ୍କ ସମର୍ଥନ ରହିବା ଆବଶ୍ୟକ। ନଚେତ ସବୁ ପ୍ରତିଶ୍ରୁତି ଓ ପଦକ୍ଷେପ ମୂଲ୍ୟହୀନ ହୋଇପଡ଼ିବ।