Categories: ଖେଳ

କୋହଲିଙ୍କ ଷ୍ଟାଟସ ଦେଖି ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୭ ଚୌକା ଓ ୯ ଛକା ସହାୟତାରେ ୫୧ ବଲରେ ୧୧୨ ରନ ଖେଳିଥିଲେ। ପ୍ରଶଂସକଙ୍କ ସହ ସାଥୀ ଖେଳାଳିମାନେ ମଧ୍ୟ ସୂର୍ଯ୍ୟଙ୍କ ଏହି ଚମତ୍କାର ଇନିଂସରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏଥିରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଥିଲେ। ସେ ସୂର୍ଯ୍ୟଙ୍କ ଦ୍ରୁତ ଇନିଂସ ପରେ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସହ ଷ୍ଟାଟସ ଶେୟାର କରିଥିଲେ। କୋହଲିଙ୍କ ଏହି ଷ୍ଟାଟସ ଦେଖି ସୂର୍ଯ୍ୟ ଖୁସିରେ ଗଦଗଦ ହୋଇପଡିଥିଲେ। ଏହାର ଭିଡିଓ ଭିଡିଓ ବିସିସିଆଇ ଦ୍ୱାରା ଶେୟାର କରାଯାଇଛି।
ବିସିସିଆଇ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ, ସୂର୍ଯ୍ୟ ପ୍ରଥମେ ଡ୍ରେସିଂ ରୁମ ଭିତରକୁ ଆସି ଏକ ଚେୟାରରେ ବସି ନିଜର ଇନଷ୍ଟାଗ୍ରାମ ମେସେଜ ଯାଞ୍ଚ କରିବା ଆରମ୍ଭ କଲେ। ମେସେଜ୍‌ ଦେଖିବାବେଳେ ସେ ବିରାଟ କୋହଲିଙ୍କ ଷ୍ଟାଟସ ଦେଖନ୍ତି। କୋହଲିଙ୍କ ଷ୍ଟାଟସ ଦେଖି ସେ କୁହନ୍ତି, ‘ୱାହ … ଭାଇ ମଜା କରିଛନ୍ତି। ତା’ପରେ କୋହଲିଙ୍କୁ ଜବାବ ଦେଇ ଲେଖିଛନ୍ତି, ଭାଇ ବହୁତ ସାରା ଭଲପାଇବା। ଖୁବ୍‌ଶୀଘ୍ର ଦେଖହେବ।
ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବାବେଳେ ସୂର୍ଯ୍ୟ ତୃତୀୟ ଅନ୍ତର୍ଜାତୀୟ ଟି-୨୦ ଶତକ ହାସଲ କରିଥିଲେ। ଏହି ଶତକ ସହିତ ସେ ଟି-୨୦ ଭାରତ ପାଇଁ ତିନି ଶତକ ହାସଲ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ।

Share