Categories: ଜାତୀୟ

ନୂଆ ପ୍ରଚାରରେ ଚନ୍ନିଙ୍କୁ ଥୋର, ରାହୁଲଙ୍କୁ ହଲ୍କ ଦର୍ଶାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରୋଡ୍‌ ଶୋ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜନୈତୀକ ଦଳ ଅନଲାଇନ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କୁ ସୁପରହିରୋ ଥୋର ଭାବେ ଦର୍ଶାଇଛି କଂଗ୍ରେସ।

ପଞ୍ଜାବ କଂଗ୍ରେସ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓଟି ହଲିଉଡ୍‌ ସୁପରହିରୋ ମୁଭି ‘ଆଭେଞ୍ଜର୍ସ: ଇନ୍‌ଫିନିଟି ଓ୍ବାର’ରୁ ପ୍ରେରିତ ହୋଇଛି। ଫିଲ୍ମରେ କ୍ରିସ ହେମ୍ସଓ୍ବର୍ଥ, ମାର୍କ ରୁଫାଲୋ, କ୍ରିସ ଇଭାନ୍ସ ଭଳି ଷ୍ଟାର ରହିଛନ୍ତି। ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଚେହେରାକୁ ଥୋରଙ୍କ ଭୂମିକାରେ ଦର୍ଶାଯାଇଛି, ଯିଏକି ବଜ୍ରପାତର ଦେବତା।

ଭିଡିଓରେ ଫିଲ୍ମର ଯୁଦ୍ଧ ଦୃଶ୍ୟକୁ ବ୍ୟବହାର କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବ୍ରୁସ ବ୍ୟାନର ତଥା ହଲ୍କ ଏବଂ ନବଜୋତ ସିଂ ସିଦ୍ଧୁଙ୍କୁ କ୍ୟାପଟେନ ଆମେରିକା ଭାବେ ଚିତ୍ରିତ କରାଯାଇଛି। ଏଲିଅନ ଚରିତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶତ୍ରୁ ଦର୍ଶାଯାଇଛି ସେହି ଭିଡିଓରେ।

ଏହାର କ୍ୟାପଶନରେ “ପଞ୍ଜାବ ଓ ଏହାର ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖଳ ପ୍ରକୃତିର ଲୋକଙ୍କ କବଳରୁ ଆମ ପ୍ରିୟ ରାଜ୍ୟକୁ ମୁକ୍ତ ରଖିବା ପାଇଁ ଯାହା ଦରକାର ଆମେ ତାହା କରିବୁ” ବୋଲି ଉଲ୍ଲେଖ କରାଯାଇଛି।

Share