Categories: ଖେଳ

ଷ୍ଟାଡିୟମରେ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କଲେ ଏହି କ୍ରିକେଟର୍‌

ଦୁବାଇ,୧।୯: ଏସିଆ କପ୍‌ର ଏକ ମ୍ୟାଚ୍‌ରେ ହଂକଂ ଦଳକୁ ୪୦ ରନ୍‌ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପଛରେ ପକାଇ ହଂକଂ ଦଳ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ହଂକଂ ପାଇଁ ବାବର ହୟାତ୍‌ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ମଧ୍ୟ ୩୦ ରନ ସଂଗ୍ରହ କରିଥିଲେ। କିଞ୍ଚିତ ମ୍ୟାଚ ପରେ ସମସ୍ତଙ୍କ ହୃଦୟ ଜିତିଥିଲେ।
ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ଭଳି ମ୍ୟାଚ ପରେ କିଞ୍ଚିତ ଶାହା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କରି ହୀରା ମୁଦି ପିନ୍ଧାଇଥିଲେ। ତାଙ୍କ ପ୍ରେମିକା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିଞ୍ଚିଟ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଥିବା ଭିଡିଓ ଷ୍ଟାଡିୟମର ବଡ ପରଦାରେ ଦେଖାଯାଇଥିଲା, ଦର୍ଶକମାନେ ମଧ୍ୟ ଆନନ୍ଦରେ ପାଟି କରିବାକୁ ଲାଗିଲେ। ବିରାଟ କୋହଲିଙ୍କ ମୁହଁରେ ମଧ୍ୟ ହସ ଥିଲା। ଗତ ଆଇପିଏଲ ସମୟରେ ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ।
କିଞ୍ଚିତ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୩ ମାସ ହୋଇଥିବାବେଳେ ପରିବାର ସହିତ ହଂକଂ ଯାଇଥିଲେ। ତାଙ୍କ ପିତା ଦେବଙ୍ଗ ଶାହା ଜଣେ ହୀରା ବ୍ୟବସାୟୀ ଏବଂ ତାଙ୍କର ଅନେକ ଦେଶରେ ହୀରା ବ୍ୟବସାୟ ରହିଛି। ଏହା ସହିତ ସେ କ୍ରିକେଟକୁ ମଧ୍ୟ ବହୁତ ଭଲ ପାଆନ୍ତି। ସେ ହଂକଂରେ ଏକ କ୍ରିକେଟ କ୍ଲବ ଚଳାନ୍ତି ଏବଂ ହଂକଂର ଟି-୨୦ ବ୍ଲିଜ ଟୁର୍ନାମେଣ୍ଟରେ ଏକ ଦଳ କିଣିଛନ୍ତି। କିଞ୍ଚିତ ମଧ୍ୟ ଭାରତ ପାଇଁ ଖେଳିବାକୁ ଚାହୁଁଥିଲେ। କିନ୍ତୁ, ତାଙ୍କର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।

Share