Categories: ଜାତୀୟ

ଲୋକସଭାରେ ଧୂଆଁ ଉଡ଼ାଇଥିବା ଯୁବକଙ୍କୁ ଏକାଠି ଆକ୍ରମଣ କଲେ ଲୋକସଭା ସଦସ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୩।୧୨ : ବୁଧବାର ଦିନ ଦୁଇ ଯୁବକ ସର୍ବସାଧାରଣ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁପଡି ହଳଦିଆ ଧୂଆଁ ଉଡାଇବା ଘଟଣା ସଂସଦର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହି ସମୟରେ ଗୃହରେ ଭୟର ବାତାବରଣ ଖେଳି ଯାଇଥିଲା। ତେବେ ଉପସ୍ଥିତ ଏମପି ମାନେ ସେମାନଙ୍କର ସାହସ ଯୁଟାଇ ଦୁଇ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ। ବିଭିନ୍ନ ଦଳର ଏମପି ମାନେ ଏକାଠି ହୋଇ ଅଭିଯୁକ୍ତକୁ ପ୍ରବଳ ମାଡ଼ ମାରିଥିଲେ ଏବଂ ପରେ ସୁରକ୍ଷାକର୍ମୀଙ୍କ ହେପାଜତରେ ଦେଇଥିଲେ।

ଲୋକସଭା ଭିତରୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଅନୁପ୍ରବେଶକାରୀଙ୍କୁ ଏମପି ମାନେ ଘେରିଯାଇ ଆକ୍ରମଣ କରୁଛନ୍ତି। ଅନୁପ୍ରବେଶକାରୀଙ୍କ ନିକଟରେ ଥିବା ଜେଡି (ୟୁ) ସଦସ୍ୟ ରାମପ୍ରୀତ ମଣ୍ଡଳ କହିଛନ୍ତି ଯେ ଆରଏଲପି ନେତା ହନୁମାନ ବେନିୱାଲ ଏବଂ ଅନ୍ୟ ସାଂସଦମାନେ ଏହି ଯୁବକଙ୍କୁ ପ୍ରବଳ ମାଡ ମାରିଥିଲେ।

 

ଅନୁପ୍ରବେଶକାରୀ ଦୁହେଁ ସାଗର ଶର୍ମା ଏବଂ ମନୋରଂଜନ ବୋଲି ଚିହ୍ନଟ କରାଯାଇଛି। ଶର୍ମା ମୈସୁର ଲୋକସଭା ସଦସ୍ୟ ପ୍ରତାପ ସିହ୍ନାଙ୍କର ଅତିଥି ଭାବରେ ପରିଦର୍ଶକ ଗ୍ୟାଲେରୀକୁ ଆସିଥିଲେ। ସେହିପରି ଲୋକସଭାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଣେ ପୁରୁଷ ଓ ମହିଳା ରଙ୍ଗୀନ ଗ୍ୟାସ ସ୍ପ୍ରେ କରି ସଂସଦ ପରିସର ବାହାରେ ସ୍ଲୋଗାନ ଦେଇଥିଲେ। ଏହି ଅପରାଧୀମାନେ ଅନମୋଲ ଏବଂ ନୀଲମ ବୋଲି ଜଣାପଡିଛି। ଏହି ଚାରିଜଣଙ୍କୁ ଅଟକ ରଖାଯାଇଛି ଏବଂ ତଦନ୍ତ ଚାଲିଛି।

 

Share