Categories: ଜାତୀୟ

ଭାରତ ମହାସାଗର ଉପରେ ସତର୍କଦୃଷ୍ଟି

ନୂଆଦିଲ୍ଲୀ,୩୦ା୬: ଭାରତ ମହାସାଗରୀୟ ଅଞ୍ଚଳଗୁଡ଼ିକରେ ସତର୍କଦୃଷ୍ଟି ରଖିଛି ଭାରତୀୟ ନୌସେନା। ପୂର୍ବ ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସହ ରକ୍ତାକ୍ତ ସଂଘର୍ଷ ଓ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସୀମାରେ ତିକ୍ତତା ଲାଗି ରହିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୭ ସପ୍ତାହ ପରେ ବି ସୁଧୁରିନି ସ୍ଥିତି। ଭାରତୀୟ ନୌସେନା ପକ୍ଷରୁ ମିତ୍ର ରାଷ୍ଟ୍ର ଆମେରିକା, ଜାପାନ ନୌସେନା ସହ ଯୋଗସୂତ୍ର ରକ୍ଷା କରାଯାଇଛି। ଶନିବାର ଭାରତୀୟ ନୌସେନା ଓ ଜାପାନ ନୌସେନା ମଧ୍ୟରେ ଭାରତ ମହାସାଗରରେ ସମରାଭ୍ୟାସ କରାଯାଇଥିଲା। ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ରାଣା, ଆଇଏନ୍‌ଏସ୍‌ କୁଲିସ ସହ ଜାପାନର ଦୁଇ ଜାହାଜ ଜେଏସ୍‌ କସିମା,ଜେଏସ୍‌ ସିମୟୁକି ସେନା ସହ ସମରାଭ୍ୟାସ କରିଥିଲେ। ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜାପାନ ଭାରତ ସହ ମିଶି ଭାରତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମେଣ୍ଟ କରିବାରେ ଲାଗିଛନ୍ତି। ଚାଇନାର ପ୍ରଭାବ ହ୍ରାସ କରିବା ଓ ତା’ର ଯେକୌଣସି ପ୍ରୟାସକୁ ଭଣ୍ଡୁର କରିବା ଲାଗି ତୀକ୍ଷ୍ଣଦୃଷ୍ଟି ରଖାଯାଇଛି।

Share