ଆହାର ଉପରେ ପାହାର

ଡ. ସନ୍ତୋଷ କୁମାର ମହାପାତ୍ର

ମଣିଷ ବଞ୍ଚତ୍ବା ପାଇଁ ଆବଶ୍ୟକ ପାଣି ଓ ଖାଦ୍ୟସାମଗ୍ରୀ। କିନ୍ତୁ ଏବେ କୋଟି କୋଟି ଲୋକ ଅର୍ଥ ଅଭାବରୁ ଓଳିଏ ଖାଇଲେ ଓଳିଏ ଖାଇବାକୁ ପାଆନ୍ତି ନାହିଁ ଓ ଭୋକରେ ନିଦ ଯାଆନ୍ତି। ଭାରତରେ ପୁଷ୍ଟିହୀନତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ୨୨.୪୩ କୋଟି ଥିଲା ବେଳେ ୯୭.୩୩ କୋଟି ବା ୭୦.୫ ପ୍ରତିଶତ ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚତ୍ତ। କରୋନା ମହାମାରୀ କ୍ଷୁଧାକୁ ଆହୁରି ବ୍ୟାପକ କରିଛି। କିନ୍ତୁ ଚିନ୍ତାଜନକ ବିଷୟ ହେଉଛି ଏହି ସମୟରେ ସରକାର ଧନିକଶ୍ରେଣୀ ଉପରେ ଟିକସ ଆଦାୟ ନ କରି ଖାଦ୍ୟସାମଗ୍ରୀ ଉପରେ ଜିଏସ୍‌ଟି ଧାର୍ଯ୍ୟ କରିଛନ୍ତି। ଏହା ଗରିବଙ୍କ ଆହାର ଉପରେ ପାହାର ବା ଦାନାରେ ଧୂଳି ଦେବା ସଦୃଶ।
ସୂଚନାଯୋଗ୍ୟ ଯେ, ନିକଟରେ ହୋଇଥିବା ଜିଏସ୍‌ଟି ପରିଷଦର ୪୭ତମ ବୈଠକରେ କିଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସ୍‌ଟି ଶୁଳ୍କ ଲାଗିବ ବୋଲି ଘୋଷଣା କରାଯାଇଛି।
ଏହି ଲିଷ୍ଟରେ ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ଜିନିଷ ରହିଛି। ସେଥିରେ ଡାଲି, ଗହମ, ମକା, ଚାଉଳ, ସୁଜି, ବେସନ, ମୁଢ଼ି, ଲସି, ଓଟ୍‌ସ ଭଳି ସାମଗ୍ରୀ ସାମିଲ ରହିଛି। ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବିରୋଧୀ ଦଳ ଏହାକୁ ପ୍ରତିବାଦ କରିବାରୁ ରାଜନୀତି ଜୋର ଧରିଥିଲା। ଅର୍ଥମନ୍ତ୍ରୀ ସଫେଇ ଦେବା ପାଇଁ ଯାଇ ଟୁଇଟରରେ କହିଛନ୍ତି, ଯଦି ବିନା ପ୍ୟାକିଂରେ ଏହି ସାମଗ୍ରୀ ବିକ୍ରି ହେଉଛି ତେବେ ଏହା ଉପରେ ଶୁଳ୍କ ଲାଗିବ ନାହିଁ। ଅର୍ଥମନ୍ତ୍ରୀ ଆଗକୁ କହିଛନ୍ତି, ଏହି ଖାଦ୍ୟସାମଗ୍ରୀ ଉପରେ ଜିଏସ୍‌ଟି ଲଗାଇବା ନିଷ୍ପତ୍ତି କୌଣସି ଗୋଟିଏ ବ୍ୟକ୍ତି ନୁହେଁ ବରଂ ସମ୍ପୂର୍ଣ୍ଣ ଜିଏସ୍‌ଟି ପରିଷଦ ଓ ସବୁ ରାଜ୍ୟର ସହମତିରେ ନିଷ୍ପତ୍ତି ହୋଇଛି। ପ୍ରଥମତଃ ଗରିବ ଓ ସାଧାରଣ ଜନତା କ’ଣ ସର୍ବଦା ଦୟନୀୟ ଜୀବନଯାପାନ କରିବା ପାଇଁ ଜନ୍ମ ହୋଇଛନ୍ତି। ସେମାନଙ୍କୁ କ’ଣ ପ୍ୟାକିଂ ସାମଗ୍ରୀ ବ୍ୟବହାର କରିବାରୁ ବଞ୍ଚତ୍ତ କରିବା ଉଚିତ। ପୁନଶ୍ଚ ଅଣଭାଜପା ରାଜ୍ୟ ସରକାର ବିରୋଧ କଲେ ମଧ୍ୟ ସରକାରଙ୍କ ପ୍ରସ୍ତାବ ବଦଳାଇବା ପାଇଁ ଆବଶ୍ୟକ ଶକ୍ତି ନାହିଁ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଅଣଭାଜପା ରାଜ୍ୟ ସରକାର ଯଦି ଜନବିରୋଧୀ ପ୍ରସ୍ତାବ ଦିଅନ୍ତି ବା ଚୁପ ରହନ୍ତି ତେବେ କେନ୍ଦ୍ର ସରକାର କ’ଣ ଜନବିରୋଧୀ ସିଦ୍ଧାନ୍ତ ନେବେ। ତାଙ୍କର ଜନସାଧାରଣଙ୍କ ପ୍ରତି କିଛି ନୈତିକ ଦାୟିତ୍ୱ ନାହିଁ। ପ୍ରଥମତଃ କେନ୍ଦ୍ର ସରକାରଙ୍କ ତରଫରୁ ଏପରି କାହିଁକି ଗରିବ ମାରଣ ନୀତି ପ୍ରସ୍ତାବ ଦିଆଗଲା।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି ଆରମ୍ଭ କରାଯାଇଥିଲା। ୨୦୧୭ ଜୁନ୍‌ ୩୦ ମଧ୍ୟରାତ୍ରିରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ମହା ଆଡ଼ମ୍ବରରେ ପାଳନ କରାଗଲା। ସେତେବେଳେ ଜିଏସ୍‌ଟିକୁ ଏକ ଶ୍ରେଷ୍ଠ ଟିକସ ସଂସ୍କାର କୁହାଯିବା ସହିତ ଏହା ପରୋକ୍ଷ କର ବ୍ୟବସ୍ଥାକୁ ସରଳ କରିବ ଏବଂ ଏହାଦ୍ବାରା ଦରଦାମ କମିବ, ଟିକସ ଫାଙ୍କି ରୋକାଯାଇପାରିବ ବୋଲି ପ୍ରଚାର କରାଗଲା। ସେତେବେଳେ ଅନେକ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ ଏହା ସପକ୍ଷରେ ମତ ଦେଇଥିଲାବେଳେ ଆମେ ବିରୋଧ କରିଥିଲୁ। ଆମେ ଲେଖିଥିଲୁ ଯେ ଜିଏସ୍‌ଟି ଟିକସ ପ୍ରକ୍ରିୟାକୁ ଆହୁରି ଜଟିଳ କରିବ ଏବଂ ଦରଦାମ ବୃଦ୍ଧି ପାଇବ ଓ ଗରିବକୁ ଅଧିକ ଗରିବ କରିବ ଏବଂ ରାଜ୍ୟଗୁଡ଼ିକର ଟିକସ ଆଦାୟ କରିବାର କ୍ଷମତା ସଙ୍କୁଚିତ କରିବ, ଯାହା ଆଜି ସତ୍ୟ ହୋଇଛି।
ପ୍ରଥମତଃ ଆମଦେଶରେ ସର୍ବାଧିକ ଜିଏସ୍‌ଟି ହାର ବିଶ୍ବରେ ପ୍ରାୟ ସବୁଠୁ ଅଧିକ ଏବଂ ଅଧିକ ସ୍ଲାବ୍‌ ମଧ୍ୟ । ବିଶେଷକରି ସେବାକ୍ଷେତ୍ରର ଆମ ଜିଡିପିକୁ ଅବଦାନ ୫୪.୨ପ୍ରତିଶତ ଏବଂ ସେଥିରେ ଆଗରୁ ୧୫ ପ୍ରତିଶତ (୧୪ ପ୍ରତିଶତ ସେବା ଟିକସ,୦.୫ ପ୍ରତିଶତ ସ୍ବଚ୍ଛ ଭାରତ ଟ୍ୟାକ୍ସ ଏବଂ ୦.୫ ପ୍ରତିଶତ କୃଷି କଲ୍ୟାଣ କର) ଟିକସ ଥିଲା ତାହା ୧୮ପ୍ରତିଶତକୁ ବୃଦ୍ଧି ପାଇଲା। ଯେତେବେଳେ ପ୍ରାୟ ୯୦ପ୍ରତିଶତ ସେବା ଉପରେ ସିଧା ୩ ପ୍ରତିଶତ ଅଧିକ ଟ୍ୟାକ୍ସ ଧାର୍ଯ୍ୟ କରାଗଲା, ଏପରିକି ବୀମା ପ୍ରିମିୟମ ଉପରେ, ଏହା ସ୍ବାଭାବିକ ଭାବେ ବିଭିନ୍ନ ସେବା ମୂଲ୍ୟ ବୃଦ୍ଧି କରିବା ସହିତ ଜୀବନଧାରଣକୁ ଆହୁରି ବ୍ୟୟସାପେକ୍ଷ କଲା। ପୁନଶ୍ଚ ଏପରି ଜନବିରୋଧୀ ପଦକ୍ଷେପ ନେବାର କାରଣ ହେଲା ନୂତନ ପଦ୍ଧତିରେ ଯେଉଁ ଜିଡିପି ଆକଳନ ହେଉଛି ସେଥିରେ ପରୋକ୍ଷ କର ଯୁକ୍ତ ହେଲାବେଳେ ସବ୍‌ସିଡି ହ୍ରାସ କରାଯାଉଛି । ଏଣୁ ଜିଡିପି ଅଧିକ ଦେଖାଇବା ପାଇଁ ସରକାର ପରୋକ୍ଷ କର ଜିଏସ୍‌ଟି ଓ ଅବକାରୀ ଶୁଳ୍କ ବୃଦ୍ଧି କରୁଛନ୍ତି। ସେତେବେଳେ ଆହୁରି ପ୍ରଚାର କରାଯାଉଥିଲା ଯେ ଗରିବ ଓ ସାଧାରଣ ଜନତା ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା ଉପରେ କୌଣସି ଜିଏସ୍‌ଟି ଲାଗୁହେବ ନାହିଁ। କିନ୍ତୁ ବର୍ତ୍ତମାନ ସରକାର ସବୁ ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗରିବ ଓ ସାଧାରଣ ଜନତା ତାଙ୍କ ଆୟର ମୁଖ୍ୟଭାଗ ଖାଦ୍ୟସାମଗ୍ରୀ ପାଇଁ ବ୍ୟୟ କରିଥା’ନ୍ତି। ଏଣୁ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ତାଙ୍କୁ ବେଶି ବାଧିଥାଏ। ବର୍ତ୍ତମାନ ଯେପରି ମୁଦ୍ରାସ୍ଫୀତି ବୃଦ୍ଧିଘଟି ଲୋକଙ୍କ କ୍ରୟଶକ୍ତି ଅହେତୁକ ହ୍ରାସ ପାଇଛି, ଜିଏସ୍‌ଟି ଧାର୍ଯ୍ୟ ଆହୁରି ପରିସ୍ଥିତି ସଙ୍ଗିନ କରିବ।
ଦେଶ ଚଳାଇବା ପାଇଁ ଅର୍ଥ ବା ସମ୍ବଳ ଦରକାର। କିନ୍ତୁ କିଏ ଅର୍ଥ ଦେବ ବା କେଉଁଠୁ ସମ୍ବଳ ଆସିବ? ଯାହାର ଆୟ ବା ସମ୍ପଦ ଅଧିକ ସେ ବେଶି ଟିକସ ଦେବା ଉଚିତ। କିନ୍ତୁ ଉଦାରୀକରଣ ନୀତି କାର୍ଯ୍ୟକାରୀ ହେବା ପରେ, ବିଶେଷକରି ବର୍ତ୍ତମାନର ସରକାର ଅମଳରେ ଆମ ଦେଶରେ ଧନୀ, କର୍ପୋରେଟ, ପୁଞ୍ଜିପତିଙ୍କୁ ଅଧିକ ରିହାତି ଦିଆଗଲା ବେଳେ ଗରିବ, ସାଧାରଣ ଜନତାଙ୍କ ଉପରୁ ପରୋକ୍ଷକର ବାବଦରେ ଅଧିକ ରାଜସ୍ବ ଆଦାୟ କରାଯାଉଛି। ଅର୍ଥାତ୍‌ ଦେଶ ଚଳାଇବା ପାଇଁ ଯେଉଁ ସମ୍ବଳ ଦରକାର ତାହାର ବୋଝ ଗରିବ, ସାଧାରଣ ଜନତାଙ୍କ ଉପରେ ପଡୁଛି ।
ଟିକସ ବ୍ୟବସ୍ଥା ପ୍ରତିଗାମୀ ହୋଇଛି। ପରୋକ୍ଷ କର ସର୍ବଦା ରିଗ୍ରେସିଭ୍‌ ବା ପ୍ରତିଗାମୀ କାରଣ ଧନୀ ଗରିବ ଏପରିକି ଭିକାରିଟିଏ ମଧ୍ୟ କୌଣସି ଦ୍ରବ୍ୟ ଓ ସେବା କ୍ରୟ କଲା ବେଳେ ସମାନ ହାରରେ ଦେଇଥାଏ। ଅନେକେ ଯାହା କହନ୍ତି ଧନୀ ଅଧିକ ଟିକସ ଦେଉଛି, ତାହା ସମ୍ପୂର୍ଣ୍ଣ ଭୁଲ୍‌। ଗରିବ ବା ଭିକାରିଟିଏ ମଧ୍ୟ ପରୋକ୍ଷ କର ମାଧ୍ୟମରେ ଟିକସ ଦେଉଛି। ଏପରି କି କମ୍ପାନୀଗୁଡ଼ିକ ଯେଉଁ ବିଜ୍ଞାପନ ବାବଦରେ ବ୍ୟୟ କରନ୍ତି, ତାହାକୁ ତାଙ୍କ ଦ୍ରବ୍ୟ ବା ସେବାର ମୂଲ୍ୟ ନିର୍ଦ୍ଧାରଣ ବେଳେ ଯୁକ୍ତ କରିଥା’ନ୍ତି। ଅର୍ଥାତ୍‌ କମ୍ପାନୀଗୁଡ଼ିକର ବିଜ୍ଞାପନ ବ୍ୟୟ ଗରିବ ବା ଧନୀ ସମସ୍ତ ଉପଭୋକ୍ତା ସମାନ ହାରରେ ବହନ କରିଥା’ନ୍ତି। ଏଣୁ ଯେତେ ଅଧିକ ପ୍ରତ୍ୟକ୍ଷ କର ବାବଦରେ ଆଦାୟ ହେବ ତାହା ସେତେ ଭଲ। କିନ୍ତୁ ପ୍ରତ୍ୟକ୍ଷ କରକୁ ପ୍ରଗତିଶୀଳ ବା ପ୍ରୋଗ୍ରେସିଭ୍‌ କୁହାଯିବ ଯେତେବେଳେ ଟିକମସ ହାର ଆୟ, ସମ୍ପଦ ବା ଲାଭ ଅନୁସାରେ ବୃଦ୍ଧି ପାଉଥିବ।
ମୋ: ୯୪୩୭୨୦୮୭୬୨
skmohapatra67@gmail.com