Categories: ଖେଳ

ପାକିସ୍ତାନ ଅଧିନାୟକଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଲେ ରୋହିତ ଶର୍ମା: ଜବାବ ମିଳିଲା ଏମିତି

ଦୁବାଇ,୨୮।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶଂସକଙ୍କ ସହ ଉଭୟ ଦଳର ଖେଳାଳିମାନେ ମଧ୍ୟ ମ୍ୟାଚ୍‌କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଦୁବାଇ ଗ୍ରାଉଣ୍ଡରେ ଉଭୟ ଦଳ ଏକାଠି ଅଭ୍ୟାସ କରିଛନ୍ତି। ଏହି ସମୟରେ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କଥାବାର୍ତ୍ତା ହେଉଥିବା ଦେଖାଯାଇଛି। ଭାରତ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ମଧ୍ୟ ପରସ୍ପରକୁ ଭେଟିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଦୁଇ ଖେଳାଳିଙ୍କ ଏକ ଭିଡିଓ ଶେୟାର କରିଛି।
ଏହି ଭିଡିଓରେ, ରୋହିତ ଏବଂ ବାବର ବହୁତ ମଜା କରୁଥିବାର ନଜର ଆସିଛନ୍ତି । ଶେଷରେ, ରୋହିତ ଶର୍ମା ଥଟ୍ଟା କରି ବାବର ଆଜାମଙ୍କୁ କୁହିଛନ୍ତି, ଭାଇ ଶୀଘ୍ର ବିବାହ କରନ୍ତୁ। ରୋହିତଙ୍କ ଏହି କଥା ଶୁଣି ବାବର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାର ଉତ୍ତରରେ ସେ ଟିକେ ଲାଜେଇ ଯାଇ କହିଛନ୍ତି, ନା, ମୁଁ ଏବେ ତାହା କରିବି ନାହିଁ। ଏହାପୂର୍ବରୁ ବାବର ଆଜାମ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଭେଟିଥିଲେ।
ଏସିଆ କପରେ ଦୁଇ ଦଳ ମଧ୍ୟରେ ଏହା ୧୫ତମ ମ୍ୟାଚ ହେବ। ପୂର୍ବ ୧୪ଟି ମ୍ୟାଚରେ ଆଠଟି ମ୍ୟାଚ ଭାରତ ଏବଂ ପାଞ୍ଚଟି ପାକିସ୍ତାନ ଜିତିଛି। ବର୍ଷା ହେତୁ ଗୋଟିଏ ମ୍ୟାଚ ଧୋଇ ଯାଇଥିଲା। ୨୦୧୨ରେ ଏହି ଟୁର୍ନାମେଣ୍ଟରେ ଭାରତ ଶେଷ ଥର ପାଇଁ ପାକିସ୍ତାନକୁ ହରାଇଥିଲା।

Share