Categories: ଖେଳ

ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ ଉପରେ ନଜର

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁ-କଶ୍ମୀରର ଗୁଲ୍‌ମାର୍ଗରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିବା ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା ବେହେରା ଏବେ ଜାତୀୟ ଚାମ୍ପିୟନଶିପ୍‌ ଉପରେ ନଜର କେନ୍ଦ୍ରୀଭୂତ କରିଛନ୍ତି। ଉତ୍ତରାଖଣ୍ଡର ଅଉଲିଠାରେ ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ ଚଳିତ ମାସ ୨୩ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ରଞ୍ଜିତା ବୁଧବାର ଗୁଲମାର୍ଗରୁ ଅଉଲି ଯିବେ। ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ନିଜ ଆଶା ମୁତାବକ ପ୍ରଦର୍ଶନ କରିପାରିଥିବାରୁ ଜାତୀୟ ସ୍କି ଓ ସ୍ନୋବୋର୍ଡରେ ମଧ୍ୟ ସେ ଚମକ ଦେଖାଇବା ନେଇ ଆଶାବାଦୀ ଅଛନ୍ତି।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶାର ଏକମାତ୍ର ଖେଳାଳିଭାବେ ରଞ୍ଜିତା ଗୁଲ୍‌ମାର୍ଗରେ ଗତ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ଅଲ୍‌ପାଇନ୍‌ ସ୍କିଂ ବିଭାଗର ଜାଏଣ୍ଟ ସାଲାଲମ ଓ ସାଲାଲମରେ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶୁଭେଚ୍ଛା ଖୁବ୍‌ ପ୍ରେରଣାଦାୟୀ ଥିଲା। ବିଶେଷ କରି ଓଡ଼ିଶା ପରି ଏକ ବରଫବିହୀନ ରାଜ୍ୟରୁ ଆସି ଏପରି ଏକ ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ରଞ୍ଜିତାଙ୍କୁ ଧନ୍ୟବାଦ ଜଣାଇଥିଲେ ଅନୁରାଗ। ଏହା ତାଙ୍କୁ ବହୁତ ଉତ୍ସାହିତ କରିଥିଲା ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି। ସିନିୟର ମହିଳା ବିଭାଗର ୨ଟି ଯାକ ଖେଳରେ ଭାଗନେଇ ଫାଇନାଲ ରାଉଣ୍ଡରେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ ରଞ୍ଜିତା। ମାତ୍ର ତାଙ୍କର ଉନ୍ନତମାନର କୌଶଳ ପ୍ରଦର୍ଶନରେ ଉପସ୍ଥିତ ଅନ୍ୟ ରାଜ୍ୟର କୋଚ୍‌, ଖେଳାଳି ଓ ଅଲିମ୍ପିଆନମାନେ ଅଭିଭୂତ ହୋଇ ପଡ଼ିଥିଲେ। ସମୁଦ୍ର ପତ୍ତନଠାରୁ ୧୧୫୦୦ ଫୁଟ ଉଚ୍ଚ ଗୁଲ୍‌ମାର୍ଗ ‘ମେରୀ ସୋଲଡର’ର ବିପଦପୂର୍ଣ୍ଣ ସ୍କି ଗଡ଼ାଣିରେ ଅନେକ ଅଭିଜ୍ଞ ଖେଳାଳି ଅଯୋଗ୍ୟ ଘୋଷିତ ହୋଇଥିବାବେଳେ ରଞ୍ଜିତା ସମସ୍ତ ବାଧାକୁ ଅତିକ୍ରମ କରି ଫିନିଶିଂ ପଏଣ୍ଟରେ ପହଞ୍ଚତ୍ ପାରିଥିଲେ। ସେନା, ଇଣ୍ଡୋ ତିବ୍ଦତୀୟ ପୋଲିସ ଏବଂ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ରଞ୍ଜିତା କହିଛନ୍ତି। ରଞ୍ଜିତାଙ୍କ ପ୍ରଦର୍ଶନରେ ଖୁସିବ୍ୟକ୍ତ କରିଥିଲେ ଇଣ୍ଡୋ ତିବ୍ଦତୀୟ ପୋଲିସର ଡେପୁଟି କମାଣ୍ଡାଣ୍ଟ ତଥା କୋଚ୍‌ ନାନକ ଚାନ୍ଦ ଠାକୁର। ”ପ୍ରତିଯୋଗିତାର ରୁଟ୍‌ ଅନ୍ତର୍ଜାତୀୟ ସ୍ତରର ଥିଲା। ଏଥିରେ ବହୁ ଅଭିଜ୍ଞ ଖେଳାଳି ତ୍ରୁଟି କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ମାତ୍ର ରଞ୍ଜିତା ଯେପରି ସମସ୍ତ ବାଧାକୁ ଅତିକ୍ରମ କରି ଫିନିଶିଂ ପଏଣ୍ଟରେ ପହଞ୍ଚତ୍ ପାରିଲେ ତାହା ପ୍ରଶଂସନୀୟ। ଉଚ୍ଚମାନର ତାଲିମ ଦିଆଗଲେ ସେ ଆହୁରି ଭଲ କରିପାରିବେ“ ବୋଲି ନାନକ ଚାନ୍ଦ ପ୍ରକାଶ କରିଥିଲେ।

Share