ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଓ୍ବାଚରଙ୍କ ମୃତ୍ୟୁ

ଅନୁଗୋଳ ଅଫିସ, ୯ା୧୧: ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡର ପମ୍ପାସର ରେଞ୍ଜରେ ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାରେ ଜଣେ ଓ୍ବାଚରଙ୍କ ମୃତ୍ୟୁ ହୋଇଛି। ମୃତ ଓ୍ବାଚର ହେଉଛନ୍ତି ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ (୨୪)। ସୋମବାର ବିଳମ୍ବିତ ରାତିରେ ଟିକରପଡ଼ା ରେଞ୍ଜର ମାଗୁଣି ବେହେରାଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ମଙ୍ଗଳବାର ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଓ୍ବାଚରଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରାଯାଇଥିଲା। ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ମାତ୍ର ୬ ମାସ ହେଲା ପମ୍ପାସର ରେଞ୍ଜରେ ଓ୍ବାଚର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ରାତିରେ ସେ ତରଭା ଛକ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଅନୁଗୋଳ ପଟୁ ଆସୁଥିବା ଟିକରପଡା ରେଞ୍ଜ ଅଧିକାରୀଙ୍କ ଗାଡି (ନଂ. ଓଆର୧୯ଜେ-୨୪୦୦) ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ସମ୍ବିତ ରାସ୍ତାରେ ପଡ଼ିଥିବା ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ସକାଳେ ସ୍ଥାନୀୟ ଲୋକେ ଜାଣିବା ପରେ ପମ୍ପାସର ନିକଟରେ ରାସ୍ତାରୋକୋ କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଗାଡ଼ିରେ ରେଞ୍ଜର ଥିଲେ କି ନାହିଁ ସେ ନେଇ ତଦନ୍ତ ଆଦି ଦାବିରେ ୫ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ। ଫଳରେ ସାତକୋଶିଆ ବୁଲିବାକୁ ଯାଉଥିବା ବହୁ ପର୍ଯ୍ୟଟକ ପମ୍ପାସରଠାରେ ଅଟକି ରହିଥିଲେ। ଖବରପାଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ୍‌ ଶୁଭେନ୍ଦୁ ବେହେରା, ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମାହାଳିକ, ବନ୍ତଳା ଥାନା ଅଧିକାରୀ ସୁମିତ୍ରା ପାତ୍ର, ପୁରୁଣାକୋଟ ଥାନା ଅଧିକାରୀ ଆଶିଷ କୁମାର ଜେନା, ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରମୁଖ ପହଞ୍ଚି ବୁଝାଶୁଝା କରିବା ସହ ସରକାରୀ ନିୟମାନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଦୁର୍ଘଟଣା ସମ୍ପର୍କରେ ଥାନାରେ ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଏସିଏଫ୍‌ କହିଛନ୍ତି, ମୃତ ଓ୍ବାଚରଙ୍କ ପରିବାରକୁ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।