ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା ସତ। ପଶ୍ଚିମବଙ୍ଗର ମୁର୍ଶିଦାବାଦ୍‌ ଜିଲାର କେତେକ ଗାଁରେ ଏଭଳି ନିୟମ ଜାରି ରହିଛି। ସମାଜ ସୁଧାର ନାମରେ ଏଭଳି କରାଯାଉଥିବା କୁହାଯାଉଛି। ଯେଉଁ ସଂଗଠନ ପକ୍ଷରୁ ଏଭଳି ନିୟମ ଜାରି କରାଯାଇଛି ସେଥିରେ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତା ମଧ୍ୟ ସାମିଲ ରହିଛନ୍ତି। ଟିଭି ଦେଖିଲେ ଏକ ହଜାର ଟଙ୍କା, ମଦ ବିକିଲେ ୭ ହଜାର ଏବଂ ମଦ କିଣିଲେ ୨ ହଜାର ଟଙ୍କାର ଜରିମାନା ଏଠାରେ ଦେବାକୁ ପଡୁଛି। ସେହିପରି କ୍ୟାରମ୍‌ ଖେଳିଲେ ଅବା ମୋବାଇଲ୍‌ରେ ଗୀତ ଶୁଣିଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼େ। ଏହି ଅଞ୍ଚଳ ବଂସଲାଇ ନଦୀ ଯୋଗୁ ବାହ୍ୟ ଜଗତଠାରୁ ବିଚ୍ଛିନ୍ନ ହୋଇ ରହିଛି। ଜିଲା ପ୍ରଶାସନର ଅଧିକାରୀ ଏଠାକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ଏହାର ସୁଯୋଗ ନେଇ ଏଭଳି ଜରିମାନା ଆଇନ ଏଠାରେ ପ୍ରଚଳିତ ହୋଇଥିବା ଅଭିଯୋଗ ହେଉଛି।

Share