Categories: ଜାତୀୟ

ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ପାଣି ମାଡ଼

ନୂଆଦିଲ୍ଲୀ, ୩।୧୦: ପଞ୍ଜାବ ଓ ହରିୟାଣାରୁ ଧାନ କିଣିବା ଲାଗି ନିଷ୍ପତ୍ତି ନେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେଜଣ ଚାଷୀ ଟ୍ରାକ୍ଟରରେ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ସେମାନେ ପୋଲିସ ବାରିକେଡ୍‌ ଭାଙ୍ଗି ଗେଟ୍‌ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପାଣି ମାଡ଼ କରିଛି। ପଞ୍ଜାବ ଓ ହରିୟାଣାରେ ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ୧ରୁ ଧାନ କିଣା ଆରମ୍ଭ ହୋଇଥାଏ। ତେବେ ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଚାଷୀମାନଙ୍କ ଆନ୍ଦୋଳନ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟାର ଏବଂ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ମଧ୍ୟରେ ବୈଠକ ପରେ ରବିବାରଠାରୁ ଧାନ କିଣାଯିବ ବୋଲି ଘୋଷଣା କରାଯାଇଛି।

Share