ଆମ ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ଶରୀରର ପ୍ରମୁଖ ଅଂଶ ହେଉଛି ଜଳ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଆମ ପୃଥିବୀ ପୃଷ୍ଠରେ ପାନୀୟ ଜଳର ପରିମାଣ ସୀମିତ। ତଥାପି ଆମେ ଏଥିପ୍ରତି ସଚେତନ ନ ହୋଇ ଏହାର ଅପଚୟ କରିଚାଲିଛେ।
ପୃଥିବୀରେ ଥିବା ୯୭.୫ ଶତାଂଶ ହେଉଛି ସମୁଦ୍ରର ଲୁଣି ଜଳ ଏବଂ ୨.୫ ଶତାଂଶ ହେଉଛି ମଧୁର ଜଳ। ପୁଣି ମଧୁର ଜଳର ୬୮.୭ ଭାଗ ବରଫ ଆକାରରେ, ୩୦.୧ ଭାଗ ଭୂତଳ ଜଳ ଓ ୧.୨ ଭାଗ ଭୂପୃଷ୍ଠ ଜଳ ଆକାରରେ ରହିଛି। ଭୂପୃଷ୍ଠ ଜଳ କହିଲେ ନଦୀ, ନାଳ, ଝରଣା, ହ୍ରଦ ଆଦିରେ ଆଚ୍ଛାଦିତ ହୋଇଥିବା ଜଳ। ଏହା ଜୀବଜନ୍ତୁମାନଙ୍କର ତଥା ମଣିଷ ଜାତିର ଅଧିକାଂଶ ଆବଶ୍ୟକତାକୁ ପୂରଣ କରିଥାଏ। ଭବିଷ୍ୟତରେ ପୃଥିବୀ ପୃଷ୍ଠରେ ପାନୀୟ ଜଳର ଉତ୍କଟ ଅଭାବକୁ ପୂରଣ ଓ ସୁବିନିଯୋଗ କରିବା ପାଇଁ ଅନେକ ଆଲୋଚନା କରାଯାଇଥିଲା, କିନ୍ତୁ ୧୯୯୨ ମସିହାରେ ଜାତିସଂଘ ତରଫରୁ ରିଓ ଡି ଜେନେରିଓଠାରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ବିଶ୍ୱର ଅନେକ ଦେଶ ଯୋଗ ଦେଇଥିଲେ। ସେମାନେ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ‘ବିଶ୍ୱ ଜଳ ଦିବସ’ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ୧୯୯୩ ମସିହାଠାରୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପାଳନ କରାଯାଇ ଆସୁଅଛି। ଚଳିତ ବର୍ଷ ଏହି ଅବସରରେ ଘୋଷିତ ସ୍ଲୋଗାନ୍ଟି ହେଲା ‘ଅଣ୍ଡରଗ୍ରାଉଣ୍ଡ ଓ୍ବାଟର: ମେକିଂ ଦ ଇନ୍ଭିଜିବଲ୍ ଭିଜିବଲ୍’। ଏହାର ମୂଳ ଉଦ୍ଦେଶ୍ୟ ହେଲା ଜଳ ସଂରକ୍ଷଣ, ବିଶୁଦ୍ଧ ପାନୀୟ ଜଳ ଉତ୍ସର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ପାନୀୟ ଜଳର ସୁପରିଚାଳନା, ବର୍ଷାଜଳ ସଂରକ୍ଷଣ, ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ଇତ୍ୟାଦି।
ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପାନୀୟ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କ ଏହାର କେତେ ଗୁରୁତ୍ୱ ରହିଛି ତାହା କହିବା ଅନାବଶ୍ୟକ। ଅନ୍ୟପକ୍ଷରେ ଏହାର ବ୍ୟବହାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ଜଳର ବ୍ୟବହାର ଓ ଆବଶ୍ୟକତାକୁ ନେଇ ଦେଶ ଦେଶ ଭିତରେ କଳହ ଓ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ସିନ୍ଧୁନଦୀକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ, ଇଉଫ୍ରେଟିସ୍ ନଦୀକୁ ନେଇ ତୁର୍କୀ ଓ ସିରିଆ ମଧ୍ୟରେ ବିବାଦ, ମେକଙ୍ଗ ନଦୀକୁ ନେଇ ଚାଇନା ଏବଂ ଲାଓସ ମଧ୍ୟରେ ବିବାଦ, ୱେଷ୍ଟ ବ୍ୟାଙ୍କ୍କୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ, ନୀଳନଦୀକୁ ନେଇ ଇଥିଓପିଆ ଓ ଇଜିପ୍ଟ ମଧ୍ୟରେ ବିବାଦ ଆଦି ଲୋକଲୋଚନକୁ ଆସିବା ସହ ସମଗ୍ର ବିଶ୍ୱ ନେତୃତ୍ୱଙ୍କ ଦୃଷ୍ଟିଆକର୍ଷଣ କରୁଛି।
ସମଗ୍ର ପୃଥିବୀରେ ପାନୀୟ ଜଳକୁ ବଞ୍ଚାଇବା ଉଦ୍ଦେଶ୍ୟରେ ତିନି ଆର୍ (3-R) କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଅଛି। ଏହା ହେଲା – Reduce, Recycle ଓ Reuse। ରିଡ୍ୟୁସ୍ର ଅର୍ଥ ହେଲା ଆମ ଦୈନନ୍ଦିନ ଜୀବନରେ ଯଥାସମ୍ଭବ କମ୍ ପାଣି ବ୍ୟବହାର କରିବା ଓ ଏହାକୁ ସଞ୍ଚୟ କରିବା ଓ ଅନ୍ୟମାନଙ୍କୁ ସଞ୍ଚୟ ପାଇଁ ପ୍ରବର୍ତ୍ତାଇବା। ରିସାଇକେଲ୍ର ଅର୍ଥ ହେଲା ପୁନଃବ୍ୟବହାର ଅର୍ଥାତ୍ ଉପଯୋଗ କରାଯାଇଥିବା ପାଣିକୁ ପୁନର୍ବାର ବ୍ୟବହାର କରିବା। ରିୟୁଜ୍ର ଅର୍ଥ ହେଲା ଉପଯୋଗ କରାଯାଇଥିବା ପାଣିର ବିଶୁଦ୍ଧୀକରଣ ପରେ ପୁନର୍ବାର ସେହି ପାଣିକୁ ବ୍ୟବହାର କରିବା। ଏଣୁ ଜଳ ସଙ୍କଟକୁ ଦୂରକରିବା ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିପରି ସମସ୍ତଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହ ପ୍ରତି ପରିବାରରେ ଏ ବିଷୟରେ ଆଲୋଚନା କରିବା ଆବଶ୍ୟକ। ଜଳ ସଂରକ୍ଷଣର ଦାୟିତ୍ୱ ଆମ ସମସ୍ତଙ୍କର, ଏହାକୁ ହୃଦୟଙ୍ଗମ କରିବା ଆବଶ୍ୟକ।
ବିରାଟ ରାଜା ପଧାନ
-ବେଙ୍କମୁରା, ପଣ୍ଡରୀ, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧