କାଟିଙ୍ଗିଆ ପଞ୍ଚାୟତରେ ଜଳକଷ୍ଟ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ)ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଳକଷ୍ଟ ଲୋକଙ୍କୁ ହନ୍ତସନ୍ତ କରୁଛି। ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ହୋଇଥିବାରୁ କାଟିଙ୍ଗିଆ ବଜାର ସମେତ ଉକ୍ତ ପଞ୍ଚାୟତର ରାଇକଣା, ଆଡ଼ିବାଙ୍ଗା, ଗୁରୁମୁଣ୍ଡି, ଡୁବୁଡି ଆଦି ଅଞ୍ଚଳରେ ଜଳକଷ୍ଟ ଦେଖାଯାଉଛି। ଏଠାରେ ଜଳକଷ୍ଟ ସାଙ୍ଗକୁ ସାଧାରଣରେ ବ୍ୟାଙ୍କ ସେବା ସମେତ ସ୍ବାସ୍ଥ୍ୟସେବା ଓ ଯୋଗାଯୋଗ ପାଇଁ ମୋବାଇଲ ସେବା ଲାଗି ଅଞ୍ଚଳବାସୀ ଦାବି କରି ନୟାନ୍ତ ହେଲେଣି, ହେଲେ ପ୍ରଶାସନ ପକ୍ଷରୁ ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କାଟିଙ୍ଗିଆଠାରେ ୭ଟି ନଳକୂପ ରହିଥିବା ବେଳେ ସେଥିରୁ ପ୍ରାୟ ୪ଟି ଅଚଳ ହୋଇପଡ଼ିଛି ବୋଲି ଗ୍ରାମର ରଞ୍ଜିତ କୁମାର ପାତ୍ର, ସଞ୍ଜୀବ ସେନାପତି କହିଛନ୍ତି। ଯେଉଁସବୁ ନଳକୂପରୁ ପାଣି ଆସୁଛି, ସେହି ପାଣି କିଛି ସମୟ ମଧ୍ୟରେ ଲାଲ ପଡ଼ିଯାଉଥିବାରୁ ତାହା ପିଇବା ଉପଯୋଗୀ ହେଉନଥିବା କହିଛନ୍ତି। ବସୁଧା ଯୋଜନାରେ ପ୍ରକଳ୍ପ କରାଯାଇଛି, କିନ୍ତୁ ନିୟମିତ ପିଇବା ପାଣି ଆସୁନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଉକ୍ତ ବ୍ଲକର କାଟିଙ୍ଗିଆ ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ବେଳେ ଅଞ୍ଚଳରେ ମକାଚାଷ ସମେତ ହଳଦୀ, ପନିପରିବା, ଖଲିପତ୍ର ସିଲେଇ ଆଦି କରାଯାଇ ବିକ୍ରି କରାଯାଉଛି। ତେବେ ଚାଷୀଙ୍କ ନିଜ ଅମଳ ସାମଗ୍ରୀ ଉଚିତ ଦରରେ ବିକ୍ରିପାଇଁ ଅନ୍ୟ ବଜାରରୁ ଖବର ସଂଗ୍ରହ ପାଇଁ ହେଉ କି ଜରୁରିକାଳୀନ ସେବା ପାଇଁ ମୋବାଇଲ ନେଟ୍‌ୱର୍କ ନିହାତି ଆବଶ୍ୟକ ରହିଥିବାରୁ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କୁ ପଚାରିବାରୁ କାଟିଙ୍ଗିଆରେ ଠିକ୍‌ ଭାବେ ଜଳ ଯୋଗାଣ କରାଯାଉଛି, ଲୋ ଭୋଲ୍‌ଟେଜ ପାଇଁ କେବେ କେବେ ସମସ୍ୟା ଦେଖାଯାଉଥିବା ସେ କହିଛନ୍ତି।

Share