ଡକରବାଡ଼ିରେ ଜଳ କଷ୍ଟ: ତିନିମାସ ହେଲା ଜଳ ଯୋଗାଣ ବନ୍ଦ ଥିଲା, ଧରିତ୍ରୀରେ ଖବର ପ୍ରକାଶିତ ପରେ ପ୍ରଶାସନର ତତ୍ପରତା, ମିଳିଲା ପାଣି

ଦାରିଙ୍ଗବାଡି, ୮।୮(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଗତ ତିନିମାସ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ମଙ୍ଗଳବାର ଷ୍ଟାଣ୍ଡ ପୋଷ୍ଟକୁ ମରାମତି କରି ଗ୍ରାମକୁ ଜଳ ଯୋଗାଣ ସ୍ବାଭାବିକ କରାଯାଇଛି। ଗ୍ରାମବାସୀ ଦୀର୍ଘ ଦିନପରେ ନିଜ ଘର ପାଖ ଷ୍ଟାଣ୍ଡ ପୋଷ୍ଟରୁ ପାଣି ପାଇ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗାଁରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାରେ ବସୁଧା ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ହେଲେ ତାହା କିଛିଦିନ ଚାଲିବା ପରେ ଗତ ତିନିମାସ ହେଲା ଜଲଯୋଗାଣ ବନ୍ଦ ରହିଥିଲା ଫଳରେ ଲୋକେ ନିକଟସ୍ଥ ନାଳ ଏବଂ ପତିତ୍ୟକ୍ତ କୂଅରୁ ପାଣି ବ୍ୟବହାର କରୁଥିଲେ। ଯାହାଯୋଗୁ ଗ୍ରାମବାସୀ ବିଭିନ୍ନ ଭୁତାଣୁ ଜନିତ ରୋଗରେ ପଡୁଥିଲେ। ତେବେ ଧରିତ୍ରୀର ପ୍ରଭାବରେ ଏବେ ପୁଣି ପାଇପଯୋଗେ ଜଳଯୋଗାଣ ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି।