Advertisement

ମାଥିଲି,୯ା୫(ଡି.ଏନ.ଏ.): ପାଣିମୁନ୍ଦେ ପାଇଁ ଏବେ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ମାଦ୍ରିସାହି ଲୋକେ। ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ଏହି ସାହିବାସିନ୍ଦାଙ୍କ ପାଇଁ ପ୍ରଶାସନ ନେଉନି କୌଣସି ପଦକ୍ଷେପ। ଏପରି ଜଳକଷ୍ଟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ସଦର ପଞ୍ଚାୟତର ମାଦ୍ରିସାହିରେ।
ଏହି ସାହିରେ ମୋଟ ୫୦ ପରିବାର ବସବାସ କରନ୍ତି। ୩ଶହ ଜନସଂଖ୍ୟା ଲାଗି ସାହିରେ ରହିଛି ମାତ୍ର ଗୋଟିଏ ନଳକୂପ। ତାହା ପୁଣି ୪୦ ବର୍ଷ ତଳେ ଖନନ କରାଯାଇଥିଲା। ସେହି ପୁରୁଣା ନଳକୂପରୁ ପାଣିମୁନ୍ଦେ ନେବାକୁ ନିର୍ଭର କରୁଛନ୍ତି ସାହିବାସିନ୍ଦା। ଘଣ୍ଟା ଘଣ୍ଟା ଧରି ନଳକୂପ ମାରିଲେ ବାହାରୁଛି ପାଣି। ଆଇରନ ସହ ଗୋଳିଆ ପାଣି ବାହାରୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନି। କୌଣସି ବିକଳ୍ପ ନ ଥିବାରୁ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ସାହିବାସିନ୍ଦା। ଏହି ଦୂଷିତ ପାଣି ପିଇ ସାହିର ଅନେକେ ବିଭିନ୍ନ ଶିକାର ହେଉଛନ୍ତି । କେତେଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି।
ସରକାର ପ୍ରତ୍ୟେକ ଅଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଉଥିବା କହୁଥିବା ବେଳେ ଏଠାରେ ବିଶୁଦ୍ଧ ପାଣି ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି। ୫ ବର୍ଷ ତଳେ ଗାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତିରିଶ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଛି। ପ୍ରତି ସାହିକୁ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଛି। ଏହା ନିର୍ମାଣର ୫ ବର୍ଷ ବିତିଯାଇଥିଲେ ମଧ୍ୟ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଏଯାଏ ସମ୍ଭବ ହୋଇନାହିଁ। ଟାଙ୍କି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ ଭୁଶୁଡ଼ି ପଡ଼ିଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାହିବାସିନ୍ଦା ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏନେଇ ଓ୍ବାର୍ଡମେମ୍ବର ମଧ୍ୟ ଅନେକ ଥର ପ୍ରଶାସନକୁ ଜଣାଇ ଆସିଛନ୍ତି। ମାତ୍ର ପ୍ରଶାସନ ଗୁରୁତ୍ୱ ଦେଇନାହିଁ। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ମାଦ୍ରିସାହିକୁ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share