ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ଜଳ ବ୍ୟବହାର କରି ଏକାଧିକ ସ୍ଲରିପାଇପ୍‌ ଲାଇନ ପ୍ରକଳ୍ପ ସମେତ ଧାମନଗର ଟେକ୍ସଟାଇଲ୍ସ ଓ ଫୁଡ୍‌ସ ପାର୍କ ପ୍ରସ୍ତାବ ରହିଛି। ଏଭଳି ସ୍ଥଳେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପଞ୍ଚାୟତ ବାସିନ୍ଦାଙ୍କ ନିମନ୍ତେ ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ବୈତରଣୀ ନଦୀ ଜଳ ବ୍ୟବହାର ସମ୍ଭବ ନୁହେଁ। ତେଣୁ ଏହି ପ୍ରକଳ୍ପ ପାଇଁ ଖରସ୍ରୋତା ନଦୀର କେନ୍ଦ୍ରାପଡ଼ା ଜିଲା ବରୁଣଡ଼ିହାଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରିବାକୁ ୧୬ା୭ା୨୦୨୦ରେ ଜଳ ସମ୍ପଦ ବିଭାଗର ଜଳ ଆବଣ୍ଟିତ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଏହାକୁ କେନ୍ଦ୍ରାପଡ଼ାବାସୀ ତୀବ୍ର ବିରୋଧ କରୁଛନ୍ତି। ହେଲେ ଜଳସମ୍ପଦ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅଡି ବସିଛିି। ଏହାକୁ ନେଇ କେତେକ ତୁମୁଳକାଣ୍ଡ ଦେଖିବାକୁ ମିଳିଲାଣି। ଗୋଟିଏ ପଟେ କେନ୍ଦ୍ରାପଡ଼ାବାସୀଙ୍କ ବିରୋଧ, ଅନ୍ୟପଟେ ପ୍ରଶାସନର ପ୍ରକଳ୍ପ ଲାଗି ଜିଦ୍‌ ଯୋଗୁ ନଦୀଜଳ ବିବାଦ ଜଟିଳ ହୋଇଛି। ତେବେ ପ୍ରଶାସନର ଜିଦ୍‌ ପଛରେ ବୈତରଣୀ ନଦୀରୁ ଶିଳ୍ପକୁ ପାଣି ଯୋଗାଇ ଦେବା ଅସଲ ଉଦ୍ଦେଶ୍ୟ ବୋଲି ଅନେକେ କହୁଛନ୍ତି।
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ବୈତରଣୀ ନଦୀର ଉପତ୍ତ୍ତି। ୨୦୧୮ ଜାନୁୟାରୀରେ କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ ଡବଲ ସ୍ଲରି ପାଇପ୍‌ଲାଇନ୍‌ ପ୍ରକଳ୍ପକୁ ରାଜ୍ୟ ଶିଳ୍ପ ବିଭାଗ ଅନୁମୋଦନ କରି ସାରିଛି। ଏହି ପ୍ରକଳ୍ପରେ ଦୈନିକ ବହୁ ଗ୍ୟାଲେନ ବୈତରଣୀ ନଦୀଜଳ ବ୍ୟବହାର କରାଯିବ। ସେହିପରି ପୂର୍ବରୁ ଯୋଡ଼ାରୁ ପାରାଦୀପକୁ ଏସାର ଷ୍ଟିଲର ସ୍ଲରି ପାଇପ୍‌ଲାଇନ କାର୍ଯ୍ୟ ଚାଲିଥିବାବେଳେ ଯାଜପୁର ଜିଲା କଳିଙ୍ଗନଗରକୁ ବିଆର୍‌ପିଏଲ୍‌ର ସ୍ଲରି ପାଇପ୍‌ଲାଇନ ଯୋଗେ ଲୁହାପଥର ପରିବହନ ଜାରି ରହିଛି। ଏହିସବୁ ପ୍ରକଳ୍ପରେ ବୈତରଣୀ ନଦୀରୁ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ କ୍ୟୁବିକ ମିଟର ପାଣି ଆବଶ୍ୟକ। ଏହାବାଦ ବୈତରଣୀ ନଦୀଜଳ ଧାମନଗର ଟେକ୍ସଟାଇଲ୍ସ ଏବଂ ଫୁଡ୍‌ସ ପାର୍କରେ ବ୍ୟବହାର କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିନିମନ୍ତେ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମ୍‌ରେ ଇନ୍‌ଟେକ୍‌ ୱେଲ୍‌ କରାଯାଇ ପ୍ରତି ସେକେଣ୍ଡରେ ୧.୨୨ କ୍ୟୁସେକ ନଦୀଜଳ ଏହି କମ୍ପାନୀକୁ ଯୋଗାଣ ହେବ।
ରାଜ୍ୟରେ ୧୧ଟି ନଦୀର ସର୍ବମୋଟ ଜଳପ୍ରବାହ ୯୫,୫୪୦ ମିଲିୟନ କ୍ୟୁବିକ ମିଟର(ଏମ୍‌ସିଏମ୍‌)। ସେଥିରୁ ଯାଜପୁର ଜିଲା ଦେଇ ଯାଇଥିବା ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପ୍ରବାହ ୨୧,୯୬୬ ଏମ୍‌ସିଏମ୍‌। ଜଳସେଚନ ବିଭାଗର ଏକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ତେବେ ଯାଜପୁର ଜିଲାର ଜଳସେଚନ ପାଇଁ ୩୯୫୧.୫୧ ଏମ୍‌ସିଏମ୍‌, ଲୋକଙ୍କ ପାଇଁ ଜଳଯୋଗାଣ କ୍ଷେତ୍ରରେ ୮୨.୩୦ ଏମ୍‌ସିଏମ୍‌, ଶିଳ୍ପ ପାଇଁ ୧୦୫୫.୯୫ ଏମ୍‌ସିଏମ୍‌ ଓ ପର୍ଯ୍ୟାବରଣ ପାଇଁ ବର୍ଷକୁ ୪୭୨୨.୭୦ ଏମ୍‌ସିଏମ୍‌ ଜଳ ଆବଶ୍ୟକ ହୁଏ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚାହିଦା ମେଣ୍ଟାଇବା ପରେ ବଳକା ୧୧୭୦୩.୫୫ ଏମ୍‌ସିଏମ୍‌ ଜଳ ସମୁଦ୍ରରେ ମିଶୁଛି ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି। ଏଥିରୁ ସ୍ପଷ୍ଟ ଯେ, ଯାଜପୁର ଜିଲାରେ ପାନୀୟ ଜଳ ପାଇଁ ବ୍ୟବହାର ହେଉଥିବା ନଦୀଜଳର ୧୨ ଗୁଣ ଅଧିକ ଶିଳ୍ପ ପାଇଁ ବ୍ୟବହାର ହେଉଛି। ଫଳରେ ଗ୍ରୀଷ୍ମଦିନରେ ଯାଜପୁର ଜିଲାବାସୀ ଜଳକ୍ଲିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ବିରୋଧ ନ୍ୟାୟସଙ୍ଗତ ବୋଲି
ସ୍ପଷ୍ଟ ହେଉଛି। ଏହିକ୍ରମରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, କେନ୍ଦ୍ରାପଡା ଜିଲାର ବରୁଣଡ଼ିହା ନିକଟ ଖରସ୍ରୋତା ନଦୀରୁ ପାଣି ଉତ୍ତୋଳନ ହେଲେ ସମଗ୍ର ଭିତରକନିକା ଜାତୀୟ ଉଦ୍ୟାନ ପ୍ରଭାବିତ ହେବ। ଖରସ୍ରୋତା ଜଳସ୍ରୋତ ହ୍ରାସ ପାଇଲେ ଭିତରକନିକାକୁ ସମୁଦ୍ରର ଲୁଣପାଣି ମାଡ଼ିଯିବା ସହ ପାନୀୟ ଓ କୃଷି ପାଇଁ ଲୋକେ ଜଳାଭାବର ସମ୍ମୁଖୀନ ହେବେ। ତେବେ ଏହି ଯୁକ୍ତିକୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।
ଭଦ୍ରକର ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୨୦୨୦ ଜୁଲାଇରେ ଅନୁଷ୍ଠିତ ଜଳସମ୍ପଦ ବିଭାଗ ବୈଠକରେ ବୈତରଣୀ, ସାଳନ୍ଦି, କାଂଶବାଂଶ ଓ ମନ୍ତେଇ ନଦୀର ଜଳସ୍ରୋତ ଉପରେ ଆଲୋଚନା ହୋଇଥିଲା। ବୈତରଣୀ ନଦୀର ଜଳ ଏହି ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। ସେହିପରି ସାଳନ୍ଦି ଓ କାଂଶବାଂଶ ନଦୀର ଜଳ ଦୀର୍ଘସ୍ଥାୟୀ ନୁହେଁ ଏବଂ ମନ୍ତେଇ ନଦୀ ଜଳ ଲବଣାକ୍ତ ଓ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୦ କିମି ଦୂରରେ ରହିଥିବାରୁ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବ୍ରାହ୍ମଣୀ ଅପ୍‌ଷ୍ଟ୍ରିମର ଖରସ୍ରୋତା ଯୋକଡ଼ିଆ ବ୍ୟାରେଜରେ ସେକେଣ୍ଡ ପ୍ରତି ୭୧ କ୍ୟୁବିକ ମିଟର ଏବଂ ବରୁଣଡିହାଠାରେ ୩୫ କ୍ୟୁବିକ୍‌ ମିଟର ପାଣି ପ୍ରବାହିତ ହେଉଛି। ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ସେକେଣ୍ଡ ପ୍ରତି ମାତ୍ର ୧.୬୪ କ୍ୟୁବିକ ମିଟର ପାଣିର ଆବଶ୍ୟକତା ହେଉଛି। ତେଣୁ ଉପଲବ୍ଧ ପାଣିର ଏହା ମାତ୍ର ୦.୪୫ ପ୍ରତିଶତ। ତେଣୁ ଜଳ ସମ୍ପଦ ବିଭାଗ ଖରସ୍ରୋତାରୁ ପାଣି ଉତ୍ତୋଳନ କରିବାକୁ ପତ୍ରସଂଖ୍ୟା ୨୪୧୨/୧୨ା୯ା୨୦୧୯ରେ ପୂର୍ବରୁ ଅନୁମତି ଦେଇସାରିଛି ବୋଲି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର-ଇନ୍‌-ଚିଫଙ୍କୁ କଟକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍କଲର ସୁପରିଟେଣ୍ଡିଂ ଇଞ୍ଜିନିୟର ସୂଚନା ଦେଇଥିଲେ। ତେବେ ଗ୍ରୀଷ୍ମଦିନରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଶୁଖିଯିବା ସମ୍ପର୍କରେ କେହି ଚିନ୍ତା କରିନାହାନ୍ତି। ଏହାବାଦ୍‌ ରେଙ୍ଗାଲି ଡ୍ୟାମ୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ତଳମୁଣ୍ଡରେ ଖରାଦିନେ ପାଣିର ଅଭାବ ଦେଖାଯିବା ଆଶଙ୍କା ରହିଛି। ତେଣୁ କେନ୍ଦ୍ରାପଡ଼ାବାସୀଙ୍କ ଯୁକ୍ତିରେ ବାସ୍ତବତା ରହିଥିବା ମନେହେଉଛି।

 

ହର୍ଷବର୍ଦ୍ଧନ ବେହେରା