Categories: ଜାତୀୟ

ରାସ୍ତାରୁ ଶୁଖୁନି ପାଣି, ଲୋକେ ହନ୍ତସନ୍ତ

ନୂଆଦିଲ୍ଲୀ,୧୭।୭: ଯମୁନା ନଦୀରୁ ବନ୍ୟା ଜଳ କମୁଥିବାବେଳେ ଏବେ ବି ଏହାର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିନାହିଁ। ସହରର ତଳିଆ ଅଞ୍ଚଳରୁ ଧୀରେ ଧୀରେ ଜଳ ଶୁଖୁଥିବାବେଳେ କିନ୍ତୁ ରାସ୍ତା ଏବେବି ଜଳମଗ୍ନ। ରବିବାର ଯମୁନା ଜଳସ୍ତର ୨୦୫.୯୧ ମିଟରକୁ ଖସିଛି। କିନ୍ତୁ ମଝିରେ ମଝିରେ ହେଉଥିବା ବର୍ଷା ଦିଲ୍ଲୀବାସୀଙ୍କ ବିପଦକୁ ଅଧିକ ବଢ଼ାଇ ଦେଇଛି। ସହରରେ ବନ୍ୟାସ୍ଥିତି ଲାଗି ରହିଥିବା ନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୁରୁଣା ଦିଲ୍ଲୀ ଯମୁନା ବଜାର ଶୁଖିଲା ରହିଥିବାରୁ ଗତ ଗୁରୁବାର ସେଠାରେ ଅସ୍ଥାୟୀ ଶିବିର ନିର୍ମାଣ କରିଥିଲେ। କିନ୍ତୁ ବର୍ତ୍ତମାନ ଶିବିରରେ ପାଣିପଶିବା ଦ୍ୱାରା ସେଠାରେ ଆଶ୍ରୟ ନେଇଥିବା ଲୋକେ ହଇରାଣ ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ମୋଟ ୨୭୦୦ ଟେଣ୍ଟ ବାନ୍ଧି ଅସ୍ଥାୟୀ ଶିବିର ତିଆରି କରାଯାଇଥିବାବେଳେ ସେଥିରେ ପାଖାପାଖି ୨୭,୦୦୦ ଲୋକ ନାମ ପଞ୍ଜୀକରଣ କରି ଆଶ୍ରୟ ନେଇଛନ୍ତି। ଅନେକ ରିଲିଫ୍‌ କ୍ୟାମ୍ପ ମଧ୍ୟ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀ ବନ୍ୟାସ୍ଥିତି ସମ୍ପର୍କରେ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି।
ଦିଲ୍ଲୀ ବନ୍ୟାସ୍ଥିତିକୁ ନେଇ ଏଏପି ଓ ଭାଜପା ମୁହଁାମୁହିଁ ସ୍ଥିତିରେ ଅଛନ୍ତି। ବନ୍ୟ ସମ୍ପର୍କିତ ତଥ୍ୟ ପ୍ରଦାନରେ ପିଡବ୍ଲ୍ୟୁଡି ମନ୍ତ୍ରୀ ମିଛ କହୁଛନ୍ତି। ଗତ ୨ ବର୍ଷ ମଧ୍ୟରେ ବନ୍ୟାସ୍ଥିତି ମୁକାବିଲା ପାଇଁ ବିଭାଗ ତରଫରୁ କୌଣସି ବୈଠକ ହୋଇ ନ ଥିବା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ଅଭିଯୋଗ ଆଣିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜ ଦାୟିତ୍ୱରୁ ପଳାୟନ କରୁଥିବା କେନ୍ଦ୍ର ସୂଚନା, ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ବନ୍ୟାକୁ ନେଇ ଦିଲ୍ଲୀବାସୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଶନିବାର ଏଏପି କହିଥିଲା।

Share