ଋଷିକୂଲ୍ୟା ଜଳସ୍ତର ବଢୁଛି: ଗାଁରେ ପଶିଲା ପାଣି, ବିଡିଓ କଲେ ଅନୁଧ୍ୟାନ

ଗଞ୍ଜାମ,୧୪ା୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଋଷିକୁଲ୍ୟା ଜଳସ୍ତର ବଢୁଛି। ଏହି ନଦୀ ଜଳ ଓ ବର୍ଷାପାଣି ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମରେ ବୁଧବାର ଦୁଇ ଫୁଟ ଉଚ୍ଚରେ ଲହଡ଼ି ମାରୁ ଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି ।  ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଛି। ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ଗ୍ରାମବାସୀ ବିଡିଓଙ୍କୁ ଖବର ଦେଇଥିଲେ। ଖବର ପାଇ ଗଞ୍ଜାମ ବ୍ଲକ ବିଡିଓ ବିଶ୍ୱଜିତ ରାୟ ଉକ୍ତ ଗ୍ରାମକୁ ଯାଇ ଶୀଘ୍ର ପାଣି ନିଷ୍କାସନ ପାଇଁ ଅନୁଧ୍ୟାନ କରିଥିଲେ। ସନ୍ଧ୍ୟା ସୁଦ୍ଧା ପାଣି ନିଷ୍କାସନ ନ ହେଲେ ଲୋକେ ଆହୁରି ଭୟଭୀତ ହୋଇ ପଡ଼ିବେ ବୋଲି ଗ୍ରାମର ଯୁବକ ଲିଙ୍ଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।