ସମବାୟ ସମିତି କାର୍ଯ୍ୟାଳୟରେ ଲହଡ଼ି ମାରୁଛି ପାଣି

ପାଣିକୋଇଲି,୨୪।୯(ବିକାଶ ମଲ୍ଲିକ): ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ମଧ୍ୟରେ ଲହଡି ମାରୁଛି ବର୍ଷା ପାଣି। ବହୁ ପୁରାତନ ଏହି ସେବା ସମବାୟ ସମିତି ନିଜସ୍ବ ଗୃହରେ ଚାଲିଛି। ପାଣିକୋଇଲି, ପଥରପଦା ପଞ୍ଚାୟତ ଓ ଗୋଳେଇପୁର, କରଦା, ଧନେଶ୍ୱର ପଞ୍ଚାୟତର ଆଂଶିକ ଗ୍ରାମକୁ ନେଇ ଏହି ସେବା ସମବାୟ ସମିତିଃ ଗଠିତ। କୋରେଇ ବ୍ଲକର ସବୁଠୁ ଅଧିକ ଚାଷୀ ଏହି ସେବା ସମବାୟ ସମିତିର ସଭ୍ୟ। ଏଠାରେ ମିନିବ୍ୟାଙ୍କ ରହିଛି। ହେଲେ ବହୁ ପୂର୍ବରୁ ନିର୍ମତି ଏହି ସେବା ସମବାୟ ସମିତି ଗୃହଠାରୁ ରାସ୍ତା ଉଚ୍ଚତା ବଢି ଯାଇଛି। ଡ୍ରେନେଜ ସବୁିଧା ନ ଥିବାରୁ ଅସରାଏ ପାଣି ହେଲେ ସମବାୟ ସମିତି କାର୍ଯ୍ୟାଳୟ ମଧ୍ୟରେ ପାଣି ପଶୁଛି। କାର୍ଯ୍ୟାଳୟ ସମ୍ନାରେ ପାଣି ରହିବାରୁ ଏହାକୁ ପୋତି ଦିଆଯାଇଛି। ମାତ୍ର ଅସରାଏ ବର୍ଷା ହେବା ଫଳରେ କାର୍ଯ୍ୟାଳୟ ମଧ୍ୟରେ ପାଣି ପଶୁଛି, ଯାହାକୁ ନିଷ୍କାସନ କରିବାର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଏହି କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ହେଲେ ବାଲି ବସ୍ତା ଉପରେ ଡେଇଁଡେଇଁ ଯିବାକୁ ପଡୁଛି। କାର୍ଯ୍ୟାଳୟ ପରିସରରେ ସମବାୟ ସମିତିର ଜମି ରହିଛି। ତେଣୁ ସେହି ସ୍ଥାନରେ ନୂତନ ଗୃହ ନିର୍ମାଣ କରିବାର ଆବଶ୍ୟକତା ଦେଖାଦେଇଛି। ଏ ଦିଗରେ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।