ପାଇପ୍‌ ଫାଟି ରାସ୍ତାରେ ବୋହୁଛି ପାଣି

କେନ୍ଦୁଝର,୨୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ମୁଖ୍ୟ ବଜାର ନିକଟ ଧର୍ମଶାଳା ରାସ୍ତାରେ ଦୀର୍ଘମାସ ହେଲା ପାଣି ପାଇପ୍‌ ଫାଟି ଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧିରେ ଧିରେ ପାଇପ୍‌ରୁ କମ୍‌ ପାଣି ବାହାରୁଥିବା ବେଳେ କିଛିଦିନ ହେଲା ଜୋର୍‌ରେ ବାହାରୁ ଥିବାରୁ ରାସ୍ତାରେ ବୋହି ନଷ୍ଟ ହେଉଛି। ଅନ୍ୟପକ୍ଷରେ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଉଛି। ମୁଖ୍ୟ ପାଇପ୍‌ ଫାଟି ଯାଇଥିବାରୁ ବାହାର ମଇଳା ଆବର୍ଜନା ସଂସ୍ପର୍ଶରେ ଆସି ପିଇବା ପାଣି ଦୂଷିତ ହେବା ସମ୍ଭାବନା ରହୁଛି। ସେହିପରି ଏହି ସ୍ଥାନରେ ବାହାରୁ ଥିବା ପାଣିକୁ ଗୋରୁ, କୁକୁରମାନେ ପିଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଛନ୍ତି। କେବଳ ଏହି ସ୍ଥାନ ନୁହେଁ, କେନ୍ଦୁଝର ସହରର ଅନେକ ସ୍ଥାନରେ ପାଣି ପାଇପ୍‌ ରାସ୍ତା ଉପରେ ବିଛା ଯାଇଥିବାରୁ ଏହା ଉପରେ ଗାଡ଼ି ତଥା ଭାରୀଯାନ ଚଳାଚଳ ଯୋଗୁ ଏହା ଫାଟି ଯାଉଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share