Advertisement

ପଠାଣି ସାମନ୍ତ ସଂଗ୍ରହାଳୟ ଛାତରୁ ପାଣି ଗଳୁଛି

ଖଣ୍ଡପଡ଼ା,୧୧ା୯(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ୨୦୧୬ ଡ଼ିସେମ୍ବର ୨୫ରେ ଖଣ୍ଡପଡାଠାରେ ପ୍ରତିଷ୍ଠା ହୋଇଥିବା ପଠାଣି ସାମନ୍ତ ସଂଗ୍ରହାଳୟଟି ସଂପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ଏବେ ବର୍ଷା ଦିନେ ଛାତରୁ ପାଣି ଗଳୁଛି। ଫଳରେ ସଂଗ୍ରହାଳୟରେ ଥିବା ସାମଗ୍ରୀଗୁଡିକ ନଷ୍ଟ ହେବାରେ ଲାଗିଛି। ଘରର ଝରକା କବାଟ ସବୁ ନଷ୍ଟ ହେବାକୁ ବସିଛି ବୋଲି ଅଭିଯୋଗ ହୋଇଛି।
ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ୍‌ ପଠାଣି ସାମନ୍ତଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜନ୍ମ ମାଟି ଖଣ୍ଡପଡ଼ା ଠାରେ ଏହି ସଂଗ୍ରହାଳୟଟି ଗତ ୭ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇଛି। ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଛାତ୍ରୀଛାତ୍ରମାନେ ସଂଗ୍ରାହାଳୟକୁ ପରିଦର୍ଶନରେ ଆସି ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥାଆନ୍ତି। ପଠାଣି ସାମନ୍ତଙ୍କ ଜୀବନ ବୃତ୍ତାନ୍ତ ସମ୍ପର୍କରେ ଅବଗତ ହୋଇ ପର୍ଯ୍ୟଟକମାନେ ବିଶେଷ ଆନନ୍ଦ ଅନୁଭବ କରୁଥିବା ବେଳେ ଉଚ୍ଚ କତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଅଦ୍ୟାବଧି ଏଠାରେ ଏକ ଟେଲିସ୍କୋପ ଓ ମିନି ପ୍ଳାନେଟୋରିୟମ ପ୍ରତିଷ୍ଠା ହୋଇ ପାରିନାହିଁ। ସେହିପରି ସଂଗ୍ରାହାଳୟ ସମ୍ମୁଖରେ ଯାନବାହନ ଗୁଡିକ ପାର୍କିଂ ନିମନ୍ତେ ସେଭଳି କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share