ବନ୍ୟଜନ୍ତୁଙ୍କ ଆହାର ପାଲଟିଛି ପାଣିଆମ୍ବ,ହେନ୍ତାଳ କୋଳି

ମହାକାଳପଡ଼ା,୧୬ା୧୦(ଡି.ଏନ.ଏ.):ଗହୀର ମଥା ବନାଞ୍ଚଳରେ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟଭାବ ଦେଖାଦେଇଛି । ସେଥିପାଇଁ ସେହି ଅଞ୍ଚଳରେ ହେଉଥିବା ପାଣି ଆମ୍ବ ଓ ହେନ୍ତାଳ କୋଳିକୁ ବନ୍ୟଜନ୍ତୁମାନେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିଶେଷ କରି ଉପରୋକ୍ତ ବନାଞ୍ଚଳର ଗଡ଼ାଣିଆ ପାଣି ନାଳ ପାର୍ଶ୍ୱରେ ପାଣି ଆମ୍ବ ଗଛ ଦେଖିବାକୁ ମିଳେ । ସେହି ଫଳ ଝଡ଼ି ତଳେ ପଡିଲେ ବାରହା, ହରିଣ, କୁମ୍ଭୀର ଖାଇବାକୁ ପସନ୍ଦ କରିଥାନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଶାସନପେଟା, ତଣ୍ଡା ଜଙ୍ଗଲ, କଣ୍ଟିଲୋ ସରଂକ୍ଷିତ ଜଙ୍ଗଲ, ସୁନିତି ଲୁଣା ଜଙ୍ଗଲ, କଣ୍ଡରା ପାଟିଆ, ଜମ୍ବୁ ଭଦ୍ରା ଜଙ୍ଗଲ ସହ ବତୀଘର ଟୁବି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ, କଂସାର ଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାଶି ସଂରକ୍ଷିତ ଜଙ୍ଗଲ , ହୁକିଟୋଲା ସରଂକ୍ଷିତ ଜଙ୍ଗଲରେ ହେନ୍ତାଳ ବଣ ଓ ପାଣି ଆମ୍ବ ଗଛ ଦେଖିବାକୁ ମିଳେ । ଏହି ଜଙ୍ଗଲରେ ଖାଦ୍ୟ ପାଇଁ ବନ୍ୟଜନ୍ତୁ ଡହଳବିକଳ ହୋଇଥାନ୍ତି । ଆବଶ୍ୟକ ଖାଦ୍ୟର ଅଭାବ ଯୋଗୁ ପ୍ରାଣୀମାନେ ପାଣି ଆମ୍ବକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ସେହିପରି ଉପରୋକ୍ତ ଜଙ୍ଗଲରେ ଥିବା ହେନ୍ତାଳ ଫଳ ବା ରୁଅ କୋଳି ବନ୍ୟଜନ୍ତୁମାନେ ଖାଇଥାନ୍ତି । ଏହି ଫଳ ଓ କୋଳି ପାଚି ଝଡ଼ିଲେ ନିକଟ ନାଳ ଯୋରିରେ ଥିବା ବଉଳା କୁମ୍ଭୀରମାନେ ବି ଆଦି ଖାଇଥାନ୍ତି । ପାଣି ଆମ୍ବ ଓ ହେନ୍ତାଳ ରୁଅ କୋଳି ଖୁବ୍‌ ସ୍ବାଦ ଲାଗେ ବୋଲି କୁହାଯାଏ । ଗଛରେ ଝୁଲୁଥିବା ପାଣି ଆମ୍ବ ଓ ହେନ୍ତାଳ ରୁଅ କୋଳି ଖୁବ୍‌ ସୁନ୍ଦର ପରିବେଶ ସୃଷ୍ଟି କରିଥାଏ, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Share