ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରାଚୀନ ନୌବାଣିଜ୍ୟର ମୂକସାକ୍ଷୀ କୁହାଯାଉଥିବା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତା’ର ସତ୍ତା ହରାଇଛି। ଏହି କେନାଲ ପୋତି ହୋଇଯିବାରୁ ଚାଷ ସମୟରେ ପାଣି ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଓଡ଼ିଶାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟର ବ୍ରିଟିଶ ଶାସକ ଜନ୍ ମାର୍ଶ ସାହେବ ଏହି କେନାଲ ଖନନ ଆରମ୍ଭ କରିଥିଲେ। କେନାଲ ଖନନ ପରେ ଏହି ଜଳପଥ ଦେଇ କଟକ ମାଲଗୋଦାମରୁ ସିଧାସଳଖ ଖାଦ୍ୟ ସାମଗ୍ରୀ ଡଙ୍ଗାରେ ପରିବହନ କରାଯାଉଥିଲା। ଜିଲାର ଅଧିକାଂଶ ବ୍ୟବସାୟୀ କଟକର ଜଗତପୁର-ଦାନପୁର-ମାର୍ଶାଘାଇ-ଜମ୍ବୁ ଗୋବରୀ ନଦୀ ମୁହାଣ ସମୁଦ୍ର ପଥରେ ବଡ ବଡ ଡଙ୍ଗାରେ ଚାନ୍ଦବାଲି ଆଦି ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ। ସଡ଼କପଥ ସୁବିଧା ନ ଥିବାରୁ ଲୋକମାନେ ଗୃହ ନିର୍ମାଣ ପାଇଁ କଟକ, ଚୌଦ୍ୱାରରୁ କାଠ, ବାଉଁଶ, ଟାଇଲ, ଅଜବେଷ୍ଟସ, ସିମେଣ୍ଟ, ବାଲି, ଚିପ୍ସ, ବହ୍ଲା ସମେତ ଅନ୍ୟ ଗୃହ ସାମଗ୍ରୀଗୁଡିକ ଡଙ୍ଗା ଓ ବଡ଼ ବଡ଼ ଭେଳା କରି ଦଉଡ଼ି ବାନ୍ଧି କାନ୍ଧରେ ଟାଣି ଟାଣି ଏହି କେନାଲ ଦେଇ ପରିବହନ କରୁଥିଲେ। ବର୍ଷବର୍ଷ ଧରି ଏହି କେନାଲରେ ମହାନଦୀ ଜଳ ପ୍ରବାହିତ ହେଉଥିଲା। ସଡ଼କପଥ ସୁବିଧା ହେବା ପରେ ଏହି ଜଳପଥରେ ପରିବହନ ୧୯୮୦ଦଶକରେ ବନ୍ଦ ହେବାକୁ ଲାଗିଲା। ସେବେଠାରୁ ଏହି କେନାଲ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଅନେକ ଲୋକ କେନାଲ ଉଭୟପାର୍ଶ୍ୱ ଜବରଦଖଲ କରି ଦୋକାନ ବଜାର କରି ଗଲେଣି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ କଟିକି ଦଳରେ ପରିପୂର୍ଣ୍ଣ ହୋଇଛି।
ଦିନ ଥିଲା ଏହି କେନାଲ ମାଧ୍ୟମରେ ଶତାଧିକ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଉଥିଲା। ଜଳସେଚନ ବିଭାଗ ପକ୍ଷରୁ ଅବହେଳା ଓ ମରାମତି ଲାଗି ଏବେ ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ଫଳରେ କେନାଲ ଜଳ ତଳମୁଣ୍ଡରେ ଠିକ୍ ଭାବେ ପହଞ୍ଚତ୍ ପାରୁନାହିଁ ବୋଲି ସ୍ଥାନୀୟ ଚାଷୀ ନାଥ କୁମାର ଭୋଳ, ଉପେନ୍ଦ୍ର ଜେନା, ସଦାଶିବ ରାଉତ, କେଶବ ସ୍ବାଇଁ, ବିମ୍ବାଧର ରାଉତ ପ୍ରମୁଖ କହିଛନ୍ତି। ଜମିକୁ ଜଳ ମାଡୁନି କେବଳ ସ୍ଥାନୀୟ ଚାଷୀମାନେ ଜଳକର (ରାଜସ୍ବ) ଗଣୁଛନ୍ତି। ଏହି କେନାଲ ବିଶ୍ୱ ବ୍ୟାଙ୍କ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଚାଷୀମାନେ ଦାବି କରିଛନ୍ତି। ଦିନ ଥିଲା ମାର୍ଶାଘାଇରୁ ଜମ୍ବୁ ଲକ୍ ଦୀର୍ଘ ୨୪ କିମି ଲମ୍ବ ଏହି କେନାଲ ମଧ୍ୟ ଦେଇ କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଦପୁର, ପାଟକୁରା, ଡେରାବିଶ ଆଦି ଅଞ୍ଚଳରୁ ଶତାଧିକ ଲୋକ ଭଦ୍ରା, କଂସାରଡିଆ, କାଉଡିଆ, ହେଟାମୁଣ୍ଡିଆ, ଲଞ୍ଚଘୋଲା, ଅଗରନାସି ଅଞ୍ଚଳରେ ଏକ ସପ୍ତାହ ରହି କାଠଗୁଡ଼ିକୁ କାଟିବା ସହ ନଦୀ ସମୁଦ୍ରରୁ ମାଛ କଙ୍କଡା ଧରୁଥିଲେ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲଗୁଡିକରୁ ଘର ନିର୍ମାଣ ପାଇଁ ବନି, ରୁଅ, ରାଇ, ଗୁଅଁା, କାଳିଆଖାଡି, ସୁନ୍ଦରୀ ଆଦି ଲୁଣା ଜାତୀୟ କଞ୍ଚା କାଠଗୁଡ଼ିକୁ ସଂଗ୍ରହ କରିଥାନ୍ତି। ପରେ ଏହି କାଠଗୁଡ଼ିକୁ ଡଙ୍ଗା ସାହାଯ୍ୟରେ ସାମୁଦ୍ରିକ ଜୁଆର ସମୟରେ ଆହୁଲା ମାରି ନେବା ଆଣିବା କରୁଥିଲେ। ଭଟ୍ଟା ସମୟରେ ଦଉଡ଼ି ସାହାଯ୍ୟରେ ଟାଣି ଟାଣି ନେବାକୁ ପଡେ ବୋଲି ଦୀନବନ୍ଧୁ ରାଉତ (୯୦) କହିଛନ୍ତି।