ପୋଲ ଉପରେ ପାଣି, ବାଡ଼ ଦେଇ ବସିଲା ପ୍ରଶାସନ

ନନ୍ଦାହାଣ୍ଡି,୧୫।୮(ଡି.ଏନ୍‌.ଏ): ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଏବଂ ଡଙ୍ଗରଭେଜା ସୀମାରେ ପ୍ରବାହିତ ବାଙ୍ଗିରି ନାଳରେ ଥିବା ପୋଲ ଉପରେ ଏକ ଫୁଟ ଉଚ୍ଚତାରେ ପାଣି ଚାଲୁଛି । ଫଳରେ ଜିଲା ମୁଖ୍ୟାଳୟକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବହୁ ସଂଖ୍ୟାରେ ଗାଡ଼ିମୋଟର ଦୁଇ ପାର୍ଶ୍ୱରେ ଅଟକି ରହିଛି। ଅମାନିଆ ଲୋକେ ପାଣି ଚାଲୁଥିବା ପୋଲ ଉପରେ ଯିବା ଆସିବା କରୁଥିବାରୁ କୌଣସି ଅଘଟଣକୁ ରୋକିବା ପାଇଁ ଦହଣା ସରପଞ୍ଚ କମଳା ପୂଜାରୀ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଜଣାଇବା ପରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ ଆସି ଦହଣା ଅଗ୍ନିଶମ ବିଭାଗ ସହାୟତାରେ ପୋଲଠାରୁ କିଛି ଦୂରରେ ବାଡ଼ ପକାଇ ଲୋକଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ପୋଲର ଅପର ପାର୍ଶ୍ୱରେ ଡଙ୍ଗରଭେଜା ଫାଣ୍ଡି କର୍ମଚାରୀ ରାସ୍ତାରେ ବାଡ ଦେଇ ଲୋକଙ୍କୁ ପୋଲ ଉପରେ ନ ଯିବା ପାଇଁ କହୁଛନ୍ତି।
ତେବେ କେବଳ ଯାତାୟାତ ବାଧାପ୍ରାପ୍ତ ହୋଇ ନାହିଁ। ନାଳ ଆଖପାଖରେ ଥିବା ଶହଶହ ହେକ୍ଟର ଚାଷଜମି ମଧ୍ୟ ପ୍ରଭାବିତ ହୋଇଛି ।
ଦୀର୍ଘ ୪୦-୪୫ ବର୍ଷ ପୂର୍ବେ ନିର୍ମିତ ଅର୍ଦ୍ଧଭଗ୍ନ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ପୋଲ ଉପରେ ବାରମ୍ବାର ବନ୍ୟା ଆସୁଥିବାରୁ ଏହା ଭୁଶୁଡି ଯିବାର ସମ୍ଭାବନା ରହିଛି। ଏହାର ମରାମତି କିମ୍ବା ନୂତନ ପୋଲ ନିର୍ମାଣ ପାଇଁ ବହୁଥର ଦାବି ହେଉଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନାହିଁ।

Share