ରାଇକିଆ,୨୦ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାଇକିଆ- ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୪ ଦିନ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରେ ଏହାକୁ ମରାମତି କରାଯିବା ପରେ ଗମନାଗମନ ସ୍ବାଭାବିକ ହୋଇଥିଲା। ତେବେ ଶୁକ୍ରବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ପୁଣି ମରାମତି ହୋଇଥିବା ଅସ୍ଥାୟୀ ପୋଲ ଉପରେ ଶନିବାର ସକାଳୁ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଯାନବାହନ ଚଳାଚଳ ପୁଣି ବ୍ୟାହତ ହୋଇଛି।