ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଉକ୍ତ ପ୍ରକଳ୍ପଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ନୟାଗଡ଼ ଜିଲା କଣ୍ଟିଲୋ ନିକଟ ବଡ଼ବାଣପୁରରେ ଥିବା ଏକ ବୃହତ୍ ଉଠାଜଳସେଚନ ପଏଣ୍ଟର ବିଦ୍ୟୁତ୍ ମୋଟର ପମ୍ପଟି ବିଗତ ବନ୍ୟା ସମୟରେ ପ୍ରାୟ ୮ ଫୁଟ ଉଚ୍ଚର ବାଲି ମଧ୍ୟରେ ପୋତି ହୋଇଯାଇଥିଲା। ସମ୍ପ୍ରତି ମହାନଦୀ ଶୁଖିଲା ପଡ଼ିଥିବାରୁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି।
ନିଗମ ଭୁବନେଶ୍ୱର ପକ୍ଷରୁ କଣ୍ଟିଲୋ, ବଡ଼ବାଣପୁର, ରତନପୁର, ଘଣାଶାଳିଆ, ବଳରାମପ୍ରସାଦ, ପତୁରିଆ ଓ ଗଣିଆ ଆଦି ଅଞ୍ଚଳରେ ୨୫ରୁ ଊର୍ଦ୍ଧ୍ୱ ରିଭର ଲିଫ୍ଟ ଉଠାଜଳସେଚନ ପଏଣ୍ଟ ୧୯୯୪ ମସିହାରେ ଜର୍ମାନୀ ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ମାଧ୍ୟମରେ ପ୍ରାୟ ୧ଶହ କୋଟି ଟଙ୍କା ଅନୁଦାନ ପ୍ରଦାନରେ ନିର୍ମାଣ କରାଯାଇଥିଲା। ଏହି ଅନୁଦାନ ମଧ୍ୟରୁ ଓଡ଼ିଶା ସରକାର କଣ୍ଟିଲୋ ନିକଟସ୍ଥ ବଡ଼ବାଣପୁର, ଗଣିଆ ବ୍ଲକର ରାଉତପଡା, ମାଳତୀପୁଟ ଓ ଈଶ୍ୱରପୁରଠାରେ ଯଥାକ୍ରମେ ୫୨ଲକ୍ଷ ୮୭ହଜାର ୬ଶହ ଟଙ୍କା, ୬୦ଲକ୍ଷ ୨୪ହଜାର, ୫୧ଲକ୍ଷ ୫୦ ହଜାର ଓ ୬୫ ଲକ୍ଷ ୬୫ ହଜାର ଟଙ୍କା ଏହିପରି ପ୍ରାୟ ୨କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ୪ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପ୍ରକଳ୍ପଗୁଡିକ ମଧ୍ୟରୁ କେବଳ ବଡ଼ବାଣପୁର ବ୍ୟତୀତ ଅନ୍ୟ ସମସ୍ତ ପ୍ରକଳ୍ପ ନିର୍ମାଣ ପରଠାରୁ ଅକାମୀ ହୋଇ ଚାଷୀମାନଙ୍କ କାର୍ଯ୍ୟରେ ଆସୁନାହିଁ। ସରକାରଙ୍କ ଯୋଜନାକ୍ରମେ ବଡ଼ବାଣପୁରଠାରେ ମହାନଦୀ କୂଳରେ ନିର୍ମିତ ହୋଇଥିବା ବୃହତ୍ ଉଠାଜଳସେଚନ ପଏଣ୍ଟ ଅଧୀନରେ ଥିବା କଣ୍ଟିଲୋ, ବାଣପୁର ଓ ବେଣାଗାଡିଆ ଅଞ୍ଚଳର ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ନେଇ ମା’ ଶୁଳିଆ ଠାକୁରାଣୀ ପାଣି ପଞ୍ଚାୟତ ଗଠନ ହୋଇ ୨୦୦୬ ମସିହାରେ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ପ୍ରକଳ୍ପର ମହାନଦୀ କୂଳରେ ଥିବା ପମ୍ପ ହାଉସ ମଧ୍ୟରେ ୨ଟି ଲେଖାଏ ୪୦ ଅଶ୍ୱଶକ୍ତି ସମ୍ପନ୍ନ ମୋଟର ପମ୍ପ ବସାଯାଇ ୪୫୦ ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ମୋଟର ପମ୍ପଗୁଡ଼ିକ ଅକାମୀ ଯୋଗୁ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ବହୁ ଦାବି ପରେ ୨୦୦୯ ମସିହାରେ ଏହି ପ୍ରକଳ୍ପର ଇନ୍ଟେକ ୱେଲ ମଧ୍ୟରେ ୫୦ ଅଶ୍ୱଶକ୍ତି ସମ୍ପନ୍ନ ବିଦ୍ୟୁତ୍ ମୋଟର ବସାଯାଇ ଜମିକୁ ପାଣି ଯୋଗା ଯାଉଥିଲା। ଉକ୍ତ ପ୍ରକଳ୍ପ ଦ୍ୱାରା ୫୨୫ ଜଣ ଚାଷୀ ଉପକୃତ ହେଉଥିଲେ। ପରିତାପର ବିଷୟ ୨୦୧୨ ଅଗଷ୍ଟରେ ମହାନଦୀର ପ୍ରଳୟଙ୍କରୀ ବନ୍ୟାରେ ମୋଟର ପମ୍ପ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବାଲି ଆସ୍ତରଣ ଜମିଯିବାରୁ ଏହା ଅଚଳ ହୋଇପଡ଼ିଥିଲା। ବାଲି ସ୍ତୂପକୁ ହଟାଇ ପମ୍ପଟିକୁ ଚାଲୁ କରିବାକୁ ଏ ଦିଗରେ ପଦକ୍ଷେପ ଗ୍ରହଣ କଲେ ଆମେମାନେ ଉପକୃତ ହୋଇପାରନ୍ତୁ ବୋଲି ପାଣି ପଞ୍ଚାୟତର କର୍ମକର୍ତ୍ତା, ସଭାପତି ଭୀମସେନ ସାହୁ ଓ ଉପଦେଷ୍ଟା ପ୍ରାଣକୃଷ୍ଣ ପୃଷ୍ଟି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ପରେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ବିଲ୍ ମାସକୁ ମାସ ବୃଦ୍ଧି ପାଇ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ଏବଂ ପ୍ରକଳ୍ପରୁ ମହାନଦୀ ଜଳସ୍ତରକୁ ସଂଯୋଗ ହୋଇଥିବା ପାଇପ ଲାଇନ ବାଲିରେ ପୋତି ହୋଇଯିବାରୁ ୨ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ତେବେ ଏହି ପ୍ରକଳ୍ପ ଦ୍ୱାରା ୮ ଶହ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ଜଳସେଚନ ହେବାର ସମ୍ଭାବନା ଥିଲେ ମଧ୍ୟ ଏ ଦିଗରେ ସମ୍ପୃକ୍ତ ଚାଷୀମାନଙ୍କ ଆଗ୍ରହ ନ ଥିବା ସଭାପତି ସାହୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୟାଗଡ଼ ଜିଲା ଉଠାଜଳସେଚନ ବିଭାଗ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ଦାଶଙ୍କୁ ପଚାରିବାରେ ପାଣି ପଞ୍ଚାୟତର କର୍ମକର୍ତ୍ତା ତଥା ଚାଷୀମାନେ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଲିଖିତ ଭାବେ ଜଣାଇଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।