କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଉପାଡ଼ି ଦେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ବସୁଧାର ପାଣିପାଇପ୍। ଏବେ ପାନୀୟ ପ୍ରକଳ୍ପ ଅଚଳ। ଫଳରେ ମାସେ ହେଲାଣି ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମବାସୀ ପିଇବା ପାଣି ଏବେ ଡହଳ ବିକଳ।
ପ୍ରକାଶ ଯେ, ପୂର୍ତ୍ତ ବିଭାଗ ଅଧୀନରେ ଥିବା କାଞ୍ଜିପାଣି-କନ୍ତଳା ରାସ୍ତାର ଗୋଳାବନ୍ଧ ଗ୍ରାମ ଭିତରେ ରାସ୍ତା ପ୍ରଶସ୍ତି କାର୍ଯ୍ୟ ଚାଲୁରହିଛ। ଗତ ମାସରେ ରାସ୍ତା କାମ ଚାଲୁଥିଲା ବେଳେ ରାସ୍ତା ପାର୍ଶ୍ୱରେ ମାଟି ଭିତରେ ବିଛା ଯାଇଥିବା ଫାଇବାର ପାଣି ପାଇପକୁ ଜେସିବି ସହାୟରେ ଉପାଡ଼ି ଦିଆଯାଇଥିଲା। ରାସ୍ତା ପାର୍ଶ୍ୱରେ ଯାଇଥିବା ମୁଖ୍ୟ ଫାଇବର ପାଇପ୍ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଫଳରେ ବସୁଧା ପ୍ରକଳ୍ପରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଥିଲା। ଗୋଳାବନ୍ଧ ଗ୍ରାମର ଏକ ହଜାର ଲୋକ ବର୍ତ୍ତମାନ ପିଇବା ପାଣି ପାଇବାରୁ ବଞ୍ଚିତ। ମାସେ ପରେ ମଧ୍ୟ ପାଇପ୍ ମରାମତି ଅଦ୍ୟାବଧି ହୋଇନାହିଁ। ଗୋଳାବନ୍ଧ ଗ୍ରାମରେ ପର୍ଯ୍ୟାପ୍ତ ନଳକୂପ ନ ଥିବାରୁ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ସମସ୍ୟା ନେଇ ଛାମୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ପ୍ରତିଭା ସାହୁ ଗତ ଫେବୃଆରୀ ମାସର ଅଭିଯୋଗ ଶୁଣାଣିରେ କେନ୍ଦୁଝର ଜିଲାପାଳଙ୍କୁ ପ୍ରକଳ୍ପ ମରାମତି ତୁରନ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଅଭିଯୋଗକୁ ଦୁଇ ସପ୍ତାହ ହେଲାଣି ଅଦ୍ୟାବଧି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସମିତି ସଭ୍ୟା ପ୍ରକାଶ କରିଛନ୍ତି। ଗୋଳାବନ୍ଧ ଗ୍ରାମ ସହିତ ବ୍ଲକରେ ଗୁଡ଼ାଏ ଗାଁରେ ବର୍ତ୍ତମାନ ବସୁଧା ପ୍ରକଳ୍ପଗୁଡ଼ିକ ସଚଳ ନ ଥିବାରୁ ଖରାଦିନ ପୂର୍ବରୁ ସଜାଡ଼ି ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।