ଜଳକଷ୍ଟ: ଦୂଷିତ ଚୁଆ ପାଣି ଭରସା

ପୋଟେରୁ, ୧୭ା୪(ଡି.ଏନ.ଏ.): ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏଥିରୁ ଲୋକେ ସୁଫଳ ପାଉନାହାନ୍ତି। ଖରାଦିନ ଆସିଲେ ଅନେକ ସ୍ଥାନରେ ଜଳକଷ୍ଟ ଦେଖିବାକୁ ମିଳୁଛି। ପୋଟେରୁ ଅଞ୍ଚଳର ଗୁମୁକା ପଞ୍ଚାୟତ ପେଦାକୋଣ୍ଡା ଗ୍ରାମବାସୀପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଦୂଷିତ ଚୂଆ ପାଣି ବ୍ୟବହାର କରୁଛନ୍ତି। ଏଥିପାଇଁ ସେମାନଙ୍କୁ ମାଇଲମାଇଲ ବାଟ ଚାଲିବାକୁ ପଡେ। ଏହି ଗ୍ରାମରେ ୨ଶହରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ରହିଛି ୨ଟି ନଳକୂପ ଓ ଗୋଟିଏ ସୋଲାର ବୋରୱେଲ ପାଣିଟାଙ୍କି। ସୋଲାର ବୋରୱେଲ ନଳକୂପ ଅଚଳ ହୋଇ ପଡ଼ିରହିଛି। ଅନ୍ୟ ନଳକୂପରୁ ଗୋଳିଆ ପାଣି ବାହାରୁଛି। ଏହା ପିଇବା ଉପଯୋଗୀ ହେଉ ନ ଥିବାରୁ ଗ୍ରାମବାସୀ ଚୂଆ ପାଣି ଉପରେ ଭରସା କରୁଛନ୍ତି। ଏହି ପାଣି ବ୍ୟବହାର କରି ସେମାନେ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ତେବେ ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଓ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରମ୍ବାର ଜଣାଇଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତ। ଏନେଇ ଜଳଯୋଗାଣ ଓ ପରିମଳ ବିଭାଗର କାଲିମେଳା ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, ଖରାପ ବୋରିଂଗୁଡ଼ିକ ମରାମତି କାମ ଆରମ୍ଭ ହୋଇଛି। ଯେଉଁ ସ୍ଥାନରେ ସମସ୍ୟା ରହିଛି ସେଠାରେ କାମ ଆରମ୍ଭ କରିବାକୁ ସେ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।