ବରକୋଳି ଗୁମା ଗ୍ରାମରେ ପାଣି ସମସ୍ୟା ଉତ୍କଟ

ଧରାକୋଟ,୧୬ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଗାଁର ପ୍ରତ୍ୟେକ ପରିବାରକୁ ଡ୍ରିଙ୍କ ଫର ଟେପ ଯୋଜନାରେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଯୋଗୁ ପିଇବା ପାଣି ପାଇଁ ଡହକବିକଳ ହେଉଛନ୍ତି ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତର ହରିଜନ ବହୁଳ ଗ୍ରାମ ବରକୋଳି ଗୁମାର ଲୋକେ। ଗଁାରେ ୭୦ ପରିବାରର ପ୍ରାୟ ୭୦୦ ଲୋକ। ଏହି ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି। ଗାଁ ଆରମ୍ଭରେ ରହିଥିବା ନଳକୂପରେ ପାଣି ନଥିବା ଯୋଗୁ ଏହା ଅଦରକାରୀ ହୋଇ ପଡ଼ିଛି। ଆଖ ପାଖରେ ଦଶରୁ ଅଧିକ ନଳକୂପ ଖୋଳା ଯାଇଥିଲେ ମଧ୍ୟ ପାଣି ବାହାରୁନାହିଁ । ଗାଁ ଠାରୁ ତିନିଶହ ମିଟର ଦୂରରେ ଥିବା ପୋଖରୀରେ ଲୋକେ ଗାଧୁଆ ପାଧୁଆ କରୁଥିବା ବେଳେ ଏକ କିମି ଦୂରରେ ଥିବା ଡାକିବଜା ଓ ଚାଞ୍ଚରା ପଲି ଗାଁର ନଳକୂପରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି। ସମଗ୍ର ଗାଁର ପୁରୁଷ ଓ ମହିଳା ଦିନ ମଜୁରିଆ । ନିଜର ନିତିଦିନିଆ ଗୁଜରାଣ ମେଣ୍ଟାଇବା ପାଇଁ ସେମାନେ ଅନ୍ୟର ଚାଷ ଜମି ଓ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି। ହେଲେ ପିଇବା ପାଣି ସମସ୍ୟା ସେମାନଙ୍କ ନିତିଦିନିଆ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ସୃଷ୍ଟି କରୁଛି। ଘଟଣା ସମ୍ପର୍କରେ ରୁଗୁମୁ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ଗ୍ରାମରେ ଜଳସ୍ତର ନାହିଁ, ନିକଟସ୍ଥ ବେଠୁଆର ଗ୍ରାମର ଇଣ୍ଟେକ ୱେଲ୍‌ରୁ ପାଇପ୍‌ ଲାଇନ ବିଛାଇ ପାଣି ଆଣିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ପଞ୍ଚାୟତରେ ନିର୍ଦ୍ଧାରଣ ହୋଇଛି। ଫାଇଲ ନିର୍ବାହୀ ଯନ୍ତ୍ରୀଙ୍କଠାରେ ପଡ଼ିରହିଛି। ଘଟଣା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଜିତ କୁମାର ଲଗୁନଙ୍କ ସହ ଯୋଗାଯୋଗ ବେଳେ ଏହି ଗ୍ରାମର ପାଇପ ଲାଇନ ପାଇଁ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏଗାର ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଡିଭିଜନକୁ ପଠାଯାଇଛି। ଏଷ୍ଟିମେଟ୍‌ ବିଭାଗ ତରଫରୁ ଟେଣ୍ଡର ଆହ୍ବାନ କରାଯିବା ଓ ଚୁକ୍ତିନାମା ପରେ କାମ ହେବ ବୋଲି ପ୍ରକାଶ କରାଯାଇଛି।

Share