ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ ଅଡ଼ି ବସିଥିଲେ। ତା’ପରଦିନ ସଂଯୋଗ ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ମିଳି ନ ଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, ଜାମୁସାହି ଗାଁ ମୁଣ୍ତରେ ବୋରିଂ କରି ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ଜଳ ଓ ପରିମଳ ବିଭାଗ ଯୋଜନା କାର୍ଯ୍ୟକାରୀ କରିଥିଲା। ଠିକାଦାର ନିମ୍ନମାନର କାମ କରିବା ଯୋଗୁ ବିଦ୍ୟୁତ୍‌ ଯନ୍ତ୍ରୀ କାମ ଠିକ୍‌ରେ କଲେ ସଂଯୋଗ କରିବେ ବୋଲି ରୋକ୍‌ ଠୋକ୍‌ କହିଥିଲେ।

କିନ୍ତୁ ତାଙ୍କ ଉପରେ ଚାପ ପକାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ ନ କରିବାରୁ କିଛି ଲୋକଙ୍କୁ ମେଳାଇ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ସଂଯୋଗ ପାଇଁ ଦାବି କରିଥିଲେ। ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟୁତ୍‌ ସଂଯୋଗ ହେଲା। କିନ୍ତୁ ଲୋକେ ଏବେ ସୁଦ୍ଧା ପାଣି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମଟରରେ ପାଣି ଉଠୁ ନ ଥିବା ବେଳେ ବାରିପଟ ସାହିର ହାତଗଣତି ଦୁଇ ଜଣଙ୍କ ଟ୍ୟାପ୍‌କୁ ପାଣି ଯାଉଛି। ଏବେ ବି ସାରା ଗାଁ ପାଣି ସଙ୍କଟରୁ ମୁକୁଳି ପାରି ନ ଥିବା କହିଛନ୍ତ ଜାମୁସାହି ଗ୍ରାମବାସୀ।

ତେବେ ଘରକୁ ଘର ଟ୍ୟାପ୍‌ ସଂଯୋଗ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ କିଏ ଜିଦ୍‌ ଧରିଥିଲା, କାହା ଇସାରାରେ ଲୋକେ ଏକତ୍ରୀତ ହୋଇ ବିଦ୍ୟୁତ୍‌ କର୍ମଚାରୀଙ୍କ ଉପରେ ଚାପ ପକାଉଥିଲେ, ଏହାର ପ୍ରକୃତ ରହସ୍ୟ କ’ଣ ବୋଲି ଜାମୁସାହି ଗ୍ରାମବାସୀ ଜାଣିବାକୁ ଚାହିଁ ବସିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମବାସୀଙ୍କ ଘରେ ଟ୍ୟାପ୍‌ ଲଗାଇ ପାଣି ଦେବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ନଚେତ ଏକ ଜନ ଆନ୍ଦୋଳନ ମୁଣ୍ତ ଟେକିବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଅମୃତ ସରୋବର ନାମରେ ଦୁଇବର୍ଷ ହେଲା ଗାଁରେ ଥିବା ବଡ଼ ପୋଖରୀ ହୁଡ଼ାକୁ ବେପରୁଆ ଭାବେ ହାଣି ଦିଆଯାଇଛ। ଯାହାକି ଜଳ କଷ୍ଟକୁ ବହୁ ଗୁଣିତ କରିଛି ଜଳ ଯୋଗାଣ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁବାସ ସ୍ବାଇଁଙ୍କୁ ପଚାରିବାରେ କେତେକସ୍ଥାନରେ ଲିକେଜ ଓ ବୈଷୟିକ ତଥା ଯାନ୍ତ୍ରିକ ଆବଶ୍ୟକତା ରହିଥିବା କାରଣରୁ ଜଳ ଯୋଗାଣରେ ଅସୁବିଧା ହୋଇଛି। ଏହାକୁ ସୁଧାରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।