ବିଧାୟକଙ୍କ ଗାଁରେ ଉତ୍କଟ ଜଳ ସମସ୍ୟା: ୧୦୦ ପରିବାରକୁ ଗୋଟିଏ ନଳକୂପ

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାଧୀନତାର ୭୬ ବର୍ଷ ପରେ ବି ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ମିଳୁନାହିଁ। ୧୦୦ ପରିବାର ଗୋଟିଏ ନଳକୂପକୁ ପିଇବା, ଗାଧୋଇବା ଓ ଘର କାମ ପାଇଁ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଅଧା ଦିନ ନଳକୂପ ଖରାପ ହୋଇପଡୁଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏଥିସହ ଗ୍ରାମ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମଧ୍ୟ ବହୁ ପଛରେ ରହିଛି। ଏଭଳି ସମସ୍ୟା ଦେଖାଯାଇଛି କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଁ ରାଇକଳା ପଞ୍ଚାୟତ ରାଇକଳା ଗ୍ରାମ ଢିପାସାହିରେ।

ସାହିରେ ପାଖାପାଖି ୧୦୦ ପରିବାରର ୧ ହଜାର ଲୋକ ବସବାସ କରୁଛନ୍ତି। ମାତ୍ର ଗ୍ରାମରେ ୨ଟି ନଳକୂପ ଥିବାବେଳେ ଗୋଟିଏରେ ଦୂଷିତ ପାଣି ବାହାରୁଥିବାରୁ ପିଇବା ଉପଯୋଗୀ ହୋଇପାରୁନାହିଁ। ଫଳରେ ଗୋରୁ ପିଇବା, ଲୋକମାନେ ଗାଧୋଇବା, ଲୁଗା ସଫା କରିବା ଓ ପିଇବା ପାଣି ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଅଧାଦିନ ମଧ୍ୟ ଉକ୍ତ ନଳକୂପରେ ପାଣି ବାହାରେ ନାହିଁ। ସାମାଜିକ କର୍ମୀ ତୁଳସୀ ପାତ୍ର କହିଛନ୍ତି, ଗାଁରେ ସଦର ନିର୍ବାଚନମଣ୍ଡଳୀର ବରିଷ୍ଠ ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝିଙ୍କ ଘର। ଦୀପତଳ ଅନ୍ଧାର ଭଳି ଗଣତନ୍ତ୍ର ଶାସନରେ ରାଜା ରହୁଥିବା ଗାଁ ଆଜି ଏପରି ଅବ୍ୟବସ୍ଥାରେ ଗତି କରୁଛି। ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ପରିଦର୍ଶନକରି ସମସ୍ୟା ବିଷୟରେ ଲୋକଙ୍କ ସହ କଥା ହୋଇଥିଲେ। ମେଗା ପ୍ରକଳ୍ପ କାନପୁର ଡ୍ୟାମ୍‌ ପାଣି ପାଇପ୍‌ ଯୋଗେ ସାହିକୁ ଯୋଗାଇବାର କୌଣସି ମାନଚିତ୍ରରେ ଆସୁନାହିଁ। ତୁରନ୍ତ ଏ ସାହିକୁ ପିଇବା ପାଣି ଯୋଗାଇଦେବାକୁ ମତ ରଖିଛନ୍ତି। ବିଶେଷକରି ଖରାଦିନ ପୂର୍ବରୁ ସାହିକୁ ପିଇବା ପାଣି ଯୋଗାଇଦେବା ସହିତ ମେଗା ପ୍ରକଳ୍ପରେ ପାଇପ ସଂଯୋଗ କରିବାକୁ ଦାବି ହୋଇଛି।

ସଦର ବିଧାୟକ ମୋହନ ମାଝି କହିଛନ୍ତି, ତାଙ୍କ ଗ୍ରାମରେ ସେଭଳି ଅନ୍ୟ କୌଣସି ସମସ୍ୟା ନାହିଁ। ପାଣି ସମସ୍ୟାକୁ ନେଇ ଲୋକେ ଜିଲାପାଳଙ୍କ ପାଖକୁ ଯାଇଥିଲେ। ଯେଉଁମାନଙ୍କ ଘରକୁ ପାଣି ସଂଯୋଗ ହୋଇନାହିଁ, କରିଦେବାକୁ କୁହାଯାଉଛି। କେଉଁ ପଞ୍ଚାୟତ ଅଧୀନରେ ଅଛନ୍ତି ସେ ନେଇ ହୋଇଥିବା ଚିହ୍ନଟରେ ଭୁଲ ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି।

 

Share