Advertisement

ଜଳଭଣ୍ଡାର ତଳେ ଜଳକଷ୍ଟ

କୋରାପୁଟ,୨୯ା୧୦(ଅମିତାଭ ବେହେରା)କୋରାପୁଟ ବ୍ଲକ ଅଧୀନରେ ରହିଛି ବଡ଼ କେରଙ୍ଗା ପଞ୍ଚାୟତର ପୁକି ଗ୍ରାମ। କୋଲାବ ଜଳଭଣ୍ଡାରଠାରୁ ମାତ୍ର ୨ କି.ମି. ଦୂରେ ଥିବା ପୁକି ଓ ନୁଆଁପୁକି ଗ୍ରାମରେ ଥିବା ୬୦ ପରିବାର ଭୋଗୁଛନ୍ତି ଜଳକଷ୍ଟ। ୩୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ପୁକି ଗ୍ରାମବାସୀ ଦୀପ ତଳ ଅନ୍ଧାର ଭଳି ଭୋଗୁଛନ୍ତି ପାନୀୟ ଜଳକଷ୍ଟ। ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନାହାନ୍ତି। ୨୦୨୧ ଅକ୍ଟୋବର ୧୪ରେ ଜଳ ଜୀବନ ମିଶନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩୯ ଲକ୍ଷ ୬୧ହଜାର ୮୧ ହଜାର ଟଙ୍କା ବ୍ୟୟ କରି ଏକ କୂଅ ଖୋଳି ମୋଟର ବସାଯାଇଥିଲା l ୨୦୨୩ ଫେବୃୟାରୀ ୧୩ରେ ଏହି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଗ୍ରାମକୁ ପାନୀୟ ଜଳ ଯୋଗାଇବା ସମ୍ଭବ ହୋଇପାରିନି। ଏଥିପାଇଁ ଗ୍ରାମକୁ ପାଇପ ବିଛା ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ଓ ପାଣି ଟ୍ୟାପ୍‌ ଲଗାଯାଇଛି l ଆରମ୍ଭରୁ କିଛି ସପ୍ତାହ ଗ୍ରାମକୁ ପାଣି ଠିକରୂପେ ଆସିଥିଲେ ମଧ୍ୟ ତା’ପରଠାରୁ ପାଣି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା; ଫଳରେ ପାନୀୟ ଜଳ ସମସ୍ୟା ଦୂର ନେଇ ଗ୍ରାମବାସୀଙ୍କ ଆଶା ମଉଳି ଯାଇଥିଲା। ଏବେ ଗ୍ରାମରେ ଥିବା ଗୋଟିଏ ନଳକୂପ ହିଁ ଗ୍ରାମବାସୀଙ୍କ ଭରଷା ପାଲଟିଛି। ତେବେ ଏହା ଗ୍ରାମବାସୀଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ l ଫଳରେ ଗ୍ରାମବାସୀ ଜଳଭଣ୍ଡାରର ଦୂଷିତ ଜଳ ବ୍ୟବହାର କରୁଛନ୍ତି l ଏହା ଦ୍ୱାରା ଗ୍ରାମବାସୀ ବିଭିନ୍ନ ପେଟରୋଗରେ ପୀଡିତ ହେଉଛନ୍ତି। ୩୯ ଲକ୍ଷର ପ୍ରକଳ୍ପ, ମାତ୍ର ଗ୍ରାମବାସୀ ୩୯ ଦିନ ପାଣି ପାଇଲେ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାର ନିଜ ଇଚ୍ଛାରେ କୂଅ ଖୋଳିଲେ ଅଥଚ ସେଥିରୁ ପାଣି ବାହାରୁ ନାହିଁ ବୋଲି ମିନତି ମାର୍ଣ୍ଡି, ମାଣିକ ଦେଇ ନାୟକ, ମୁକ୍ତା ଖୋସଲା ଅଭିଯୋଗ କରିଛନ୍ତି l ଏ ନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଜଗବନ୍ଧୁ ଚୌଧୁରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ l ଏ ନେଇ ଉପଜିଲାପାଳ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଲେ, ସେ ଏନେଇ ବିଭାଗୀୟ ଅଧିକାରୀ ଓ କୋରାପୁଟ ବିଡିଓଙ୍କୁ ନିର୍ଦ୍ଦେଶ ଦେବେ। ତୁରନ୍ତ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଗ୍ରାମକୁ କିପରି ସୁବିଧାରେ ପାନୀୟ ଜଳ ଯୋଗାଯାଇପାରିବ ସେ ନେଇ ଚେଷ୍ଟା କରିବେ ବୋଲି କହିଛନ୍ତି। କୋରାପୁଟ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ପଚାରିବାରୁ ସେ ଏହାକୁ ନିନ୍ଦା କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share