ପାରଦ ସହ ପାଣି ସମସ୍ୟା

ବଇଣ୍ଡା,୨୬।୪ (ପରିକ୍ଷିତ ସାହୁ) କିଛି ଦିନ ହେବ ଅନୁଗୋଳ ଜିଲାରେ ଜାରି ରହିଛି ଅଗ୍ନିବର୍ଷା। ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। ଦେହ ଜଳାଇଦେବା ଭଳି ଖରା ସାଙ୍ଗକୁ ମଧ୍ୟାହ୍ନର ତତଲା ପବନରେ ସନ୍ତୁଳି ହେଉଛି ଜନଜୀବନ। ବଢ଼ୁଥିବା ତାତିକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବିଶେଷକରି ଗ୍ରୀଷ୍ମ ପ୍ରବାହର ଠିକଣା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଉପରେ ସେତେଟା ଗୁରୁତ୍ୱ ଦିଆଯାଇ ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ଆକାର ଧାରଣ କରିଥିବା ଅଭିଯୋଗ ହେଉଛି।
ଗତ ୨୩ ତାରିଖରେ ୪୨.୧ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲା ଥିଲା। ୨୪ ତାରିଖରେ ଜିଲାର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ୨୫ ତାରିଖ ସୋମବାର ଅନୁଗୋଳର ତାପମାତ୍ର ୪୩.୭ ଡିଗ୍ରୀ ରହିଥିଲା। ୩ ଦିନ ହେଲା ଜିଲାରେ ପାରଦ ଉପରମୁହଁା ରହିଥିବାରୁ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି କଷ୍ଟକର ହୋଇପଡ଼ିବ ବୋଲି ସୂଚନା ମିଳୁଛି। ଏପରି ସମୟରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆ ଯାଇ ନ ଥିବାବେଳେ କେଉଁଠି କାଁ ଭାଁ ଜଳଛତ୍ର ଖୋଲାଯାଇଛି। ଫଳରେ ପଥଚାରୀଙ୍କ ସମେତ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଉପଖଣ୍ଡର ୪୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ନଳକୂଅ, ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ମଧ୍ୟ ତାହାକୁ ସଚଳ କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ। ଭୂତଳ ଜଳସ୍ତର ହ୍ରାସ ପାଇବା ସହ ଅନେକ କୂଅ, ପୋଖରୀ, ନାଳ, ଶୁଖି ଯାଇଥିବାବେଳେ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ଜଙ୍ଗଲ ଗୁଡିକରେ ଥିବା ଜଳାଶୟ ଶୁଖିଯାଇଥିବାରୁ ବନ୍ୟଜନ୍ତୁ ପିଇବା ପାଣି ନ ପାଇ ଗାଁ ଭିତରକୁ ପଶି ଆସୁଛନ୍ତି। ସେହିପରି ଧଣ୍ଡାତୋପା, ମଇମୁରା, କରଡା ସିଙ୍ଗ, ଟାପଢୋଲ, ପେଡିପଥର, ରାଇନାଳୀ, ରାଣୀଭୂଇଁ, ଟକବା, ବାଦୀବାହାଳ, ମଧପୁର ଅଞ୍ଚଳରେ ଥିବା ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁ ତାପମାତ୍ରା ଅଧିକ ବୃଦ୍ଧି ପାଉଥିବା ହଣ୍ଡପା ଗ୍ରାମବାସୀ କହିଛନ୍ତି। ଜଙ୍ଗଲ ନିଅଁା କିପରି ଆୟତ୍ତ ହେବ ଓ ଗ୍ରୀଷ୍ମ ପ୍ରବାହର ଉଚିତ ମୁକାବିଲା କରାଯିବ, ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share