Categories: ଜାତୀୟ

ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ

ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ ପୀଡ଼ିତ ହୋଇଥିବାବେଳେ ଏବେ ୧୫୭ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ରାତିରୁ ବିଭିନ୍ନ ଲକ୍ଷଣ ଦେଖାଯାଉଥିବାରୁ ଶହ ଶହ ଲୋକେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ରୋଗର କାରଣ ଖୋଜି ପାରୁ ନାହଁାନ୍ତି ଡାକ୍ତରୀ ଦଳ।

ଏଲୁରୁ କଲେକ୍ଟରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଜଣା ରୋଗରେ ଜଣେଙ୍କ ମୃତ୍ୟୁ ହୋଇଥିବାବେଳେ ୧୬୮ ଲୋକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସ୍ପେସାଲିଷ୍ଟଙ୍କ ସମେତ ୫୬ ଜଣିଆ ଡାକ୍ତରୀ ଦଳ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ରୋଗୀଙ୍କ ଠାରେ ବାତ, ବାନ୍ତି, ମୁଣ୍ଡବିନ୍ଧା, ଅଣ୍ଟା ବିନ୍ଧା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏହି ରୋଗ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଡେଉଁ ନାହିଁ। ଏଲୁରୁ ମୁନିସିପାଲ ପାଣି ପହଞ୍ଚୁ ନ ଥିବା ସ୍ଥାନରୁ ମଧ୍ୟ ରୋଗୀ ଚିହ୍ନଟ ହୋଇଛନ୍ତି। ଏପରି କି ଯେଉଁମାନେ କେବଳ ମିନେରାଲ ପାଣି ପିଅନ୍ତି, ସେମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି କଲେକ୍ଟର କହିଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ଏଲୁରୁ ସରକାରୀ ମେଡିକାଲ ଭ୍ରମଣ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ବୁଝିଛନ୍ତି।

Share